ନୂଆଦିଲ୍ଲୀ : ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ମୋଦୀ ସରକାର ଏବଂ କଂଗ୍ରେସ ଆଜି ସଂସଦରେ ପୁଣି ମୁହାଁମୁହିଁ ହୋଇଛନ୍ତି। ସକାଳେ କଂଗ୍ରେସ ପକ୍ଷରୁ ରାଫେଲ୍‌ ଚୁକ୍ତି ସଂପର୍କରେ ଏକ ଅଡିଓ ଟେପ୍‌ ଜାରି କରାଯିବା ପରେ ଏହାକୁ ନେଇ ସଂସଦରେ ପ୍ରବଳ ହଙ୍ଗାମା ହୋଇଥିଲା। ବିଭିନ୍ନ ସରକାର ବିରୋଧୀ ସ୍ଲୋଗାନ୍‌ ଦେଇ ବିରୋଧୀ ସାଂସଦମାନେ ଗୃହ ମଧ୍ୟରେ କାଗଜରେ ବିମାନ ତିଆରି କରି ଉଡ଼ାଇଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍‌ ଚୁକ୍ତି ସଂପର୍କରେ ନିଜ ଯୁକ୍ତି ରଖି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଥିଲେ। ଅଡିଓ ଟେପ୍‌କୁ ଆଧାର କରି ମୋଦୀଙ୍କଠାରୁ ଜବାବ ମାଗିଥିଲେ। ସରକାରଙ୍କ ପକ୍ଷରୁ ଜେଟ୍‌ଲି ଏହି ଟେପ୍‌କୁ ନକଲି ବୋଲି କହିବା ସହ ଚୁକ୍ତି ନେଇ ରାହୁଲଙ୍କୁ କାଣିଚାଏ ଜଣା ନାହିଁ ବୋଲି କହିଥିଲେ। ରାହୁଲ ବାରମ୍ବାର ଅନୀଲ ଅମ୍ବାନିଙ୍କ ନାମ ନେଇ ସରକାରଙ୍କୁ ଘେରିଥିବା ବେଳେ ଜେଟ୍‌ଲି କ୍ବାତ୍ରୋକିଙ୍କୁ ମିଷ୍ଟର ‘କ୍ୟୁ’ ବୋଲି କହି କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ। ଏଥିସହ ରାଫେଲ୍‌ ଚୁକ୍ତିର ଜେପିସି (ଯୁଗ୍ମ ସଂଦୀୟ କମିଟି) ତଦନ୍ତ ପାଇଁ ବିରୋଧୀମାନେ କରୁଥିବା ଦାବିକୁ ଜେଟ୍‌ଲି ଅଗ୍ରାହ୍ୟ କରିଦେଇଛନ୍ତି। ରାଜନୈତିକ ଉଦ୍ଦେଶ୍ୟରେ ରାଫେଲ୍‌ ଚୁକ୍ତିକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଉଛି। ଏହା ସେନାର ଆବଶ୍ୟକତା ପୂରଣ ପାଇଁ ସରକାରଙ୍କର ପଦକ୍ଷେପ ଥିବାରୁ ଜେପିସି ତଦନ୍ତ ହେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

Advertisment

ଲୋକସଭାରେ ପ୍ରଥମେ ରାହୁଲ ଗାନ୍ଧୀ ରାଫେଲ୍‌ ଚୁକ୍ତିକୁ ଆଧାର କରି କହିଥିଲେ ଯେ ଏହି ଚୁକ୍ତିରେ ଯେଉଁ ଅନିୟମିତତା କରାଯାଇଛି, ସେ ନେଇ ସାରା ଦେଶ ଜାଣିଛି। ଆଜି ଗଣମାଧ୍ୟମ ସମ୍ମୁଖରେ ଏକ ଅଡିଓ ଟେପ୍ ମଧ୍ୟ ଜାରି କରାଯାଇଛି ଏବଂ ଏଥିରେ ‌ଗୋଆ ମୁଖ୍ୟମନ୍ତ୍ରୀଙ୍କ ମାମଲା ଅତ୍ୟନ୍ତ ଗୁରୁତର ରହିଛି। ଏହାପରେ ସଂସଦରେ ଉକ୍ତ ଟେପ୍‌କୁ ଚଲାଇବା ପାଇଁ ସେ ଦାବି କରିବା ପରେ ଜେଟ୍‌ଲି ତାହାକୁ ରୋକିଥିଲେ। ଫଳରେ ଜୋର୍‌ଦାର ହଙ୍ଗାମା ହୋଇଥିଲା। ଜେଟ୍‌ଲି କହିଥିଲେ ଯେ ଟେପ୍‌ଟି ସମ୍ପୂର୍ଣ୍ଣ ନକଲି। ଏହାକୁ ଷଡ଼୍‌ଯନ୍ତ୍ର କରି ପ୍ରସ୍ତୁତ କରାଯାଇଛି। ଏ ନେଇ ଗୃହକୁ ଲିଖିତ ଭାବେ ଜଣାଇବାକୁ ସେ କହିଥିଲେ।

ସଂସଦରେ ଅଡିଓ ଟେପ୍‌ ଚଲାଇବାକୁ ବାରଣ କରାଯିବା ପରେ ରାହୁଲ କହିଛନ୍ତି, ମୁଁ ଜାଣିଥିଲି ଯେ ସେମାନେ ମୋତେ ଟେପ୍‌ ଚଳାଇବାକୁ ଦେବେନାହିଁ। ଏଥିରୁ ଜଣାପଡୁଛି ଯେ ଏହି ଟେପ୍‌ ସତ ନା ମିଛ। ଜେଟ୍‌ଲି କହିଥିଲେ ଯେ ରାହୁଲ ମିଛ କହୁଥିବାରୁ ଟେପ୍‌ରେ କ’ଣ ତଥ୍ୟ ରହିଛି, ତାହାକୁ ଲିଖିତ ଭାବେ ଦର୍ଶାଇବାକୁ ପ୍ରସ୍ତୁତ ହେଉନାହାନ୍ତି। ଏହାପରେ ରାଫେଲ୍‌ ଚୁକ୍ତି ସଂପର୍କରେ ସେ ପୁଣି ପୁରୁଣା କଥା ଦୋହରାଇଥିଲେ। ସେ କହିଥିଲେ ଯେ ୟୁପିଏ ଅମଳରେ ୧୨୬ ରାଫେଲ୍‌ ଯୁଦ୍ଧ ବିମାନ ଆଣିବା ପାଇଁ ଚୁକ୍ତି ‌ହୋଇଥିଲା ବେଳେ ମୋଦୀ ସରକାର ଏହାକୁ ୩୬କୁ କମାଇ ଦେଇଛନ୍ତି। ସେହିଭଳି ୟୁପିଏ ବେଳେ ଗୋଟିଏ ରାଫେଲ୍‌ ବିମାନ ମୂଲ୍ୟ ୫୨୬ କୋଟି ଟଙ୍କା ଥିଲା ବେଳେ ଏନ୍‌ଡିଏ ବେଳେ ତାହା ୧୬୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବା ପରିତାପର ବିଷୟ। ଏହା ଛଡ଼ା ରାଷ୍ଟ୍ରାୟତ୍ତ ହାଲ୍‌କୁ ଭୁଲି ସରକାର ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ କ’ଣ ପାଇଁ ଡାସଲ୍ଟ ଏଭିଏସନ୍‌ (ରାଫେଲ୍‌ ବିମାନ ନିର୍ମାତା)ର ଅଫ୍‌ସେଟ୍‌ ସହଯୋଗୀ ଭାବେ ଚୟନ କଲେ ତାହା ନେଇ ସ୍ପଷ୍ଟ ଭାବେ ଜଣାଇବା ଆବଶ୍ୟକ। ଏବେ ସୁଦ୍ଧା ଦେଶକୁ ଗୋଟିଏ ବି ରାଫେଲ୍‌ ବିମାନ କାହିଁକି ଆସିନାହିଁ, ସେ ବାବଦରେ ମଧ୍ୟ ସରକାର ଦେଶବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ରାହୁଲ କହିଛନ୍ତି।

ଅନ୍ୟପକ୍ଷରେ ରାହୁଲଙ୍କ ଯୁକ୍ତିକୁ ବିରୋଧ କରି ଜେଟ୍‌ଲି କହିଲେ ଯେ ରାହୁଲ ଦୀର୍ଘ ୬ ମାସ ହେଲା କେବଳ ମିଛ କହିଆସୁଛନ୍ତି। ସତ କହିବାକୁ ସେ ଘୃଣା କରୁଥିବା ଭଳି ଲାଗୁଛି। ଦେଶର ଦୁର୍ଭାଗ୍ୟ ଯେ କଂଗ୍ରେସ ଭଳି ସବୁଠୁ ପୁରୁଣା ଦଳର ମୁଖ୍ୟ ହୋଇ ବି ରାହୁଲଙ୍କୁ କିଛି ଜଣା ନାହିଁ। ଏହାପରେ ଜେଟ୍‌ଲି ବୋଫର୍ସ ଏବଂ ନ୍ୟାସ୍‌ନାଲ୍‌ ହେରାଲ୍ଡ ମାମଲା ଉଠାଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ରାଫେଲ୍‌ ପ୍ରସଙ୍ଗ‌ରେ ସରକାରଙ୍କୁ ସମାଲୋଚନା କରାଯାଇଛି। ଦଳ କହିଛି ଯେ ଏହି ଚୁକ୍ତି ବାବଦରେ ପ୍ରତିରକ୍ଷା ମନ୍ତ୍ରୀ ଯୁକ୍ତି ଉପସ୍ଥାପନ କରିବା ଉଚିତ। କିନ୍ତୁ ବାରମ୍ବାର କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଏ ନେଇ କହିବାକୁ ଦିଆଯାଉଛି। ତା’ଛଡ଼ା ରାଫେଲ ବିମାନ ପରିବର୍ତ୍ତେ ଶସ୍ତା ୟୁରୋଫାଇଟର୍‌ ଟାଇଫୁନ୍‌ ବିମାନ ଆଣିଥିଲେ ଭଲ ହୋଇଥାନ୍ତା ବୋଲି ଦଳ କହିଛି।