ରାଫେଲ୍‌ ପାଇଁ ପୁଣି ମୁହାଁମୁହିଁ : ୟୁପିଏଠାରୁ ଶସ୍ତାରେ ଆସିବ ବିମାନ: ସୀତାରମଣ

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଆଜି ପୁଣି କେନ୍ଦ୍ର ସରକାର ଓ ବିରୋଧୀ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଚୁକ୍ତିରୁ ହାଲ୍‌କୁ ବାହାର କରାଯିବା ଏବଂ ବିମାନ ମୂଲ୍ୟ ବାବଦରେ ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି। ୟୁପିଏ ଅମଳରେ ହୋଇଥିବା ଚୁକ୍ତି ତୁଳନାରେ ମୋଦୀ ସରକାର ୯ ପ୍ରତିଶତ ଶସ୍ତାରେ ବିମାନ ଆଣିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ କହିଛନ୍ତି। ସେହିଭଳି ୟୁପିଏ ଦ୍ୱାରା ହିଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ଚୁକ୍ତି ଅନ୍ତର୍ଭୁକ୍ତ କରାନଯିବା ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ସେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏ କେ ଆଣ୍ଟୋନି କହିଛନ୍ତି, ସରକାର ଯଦି ଶସ୍ତାରେ ରାଫେଲ୍‌ ବିମାନ ଆଣିବେ ବୋଲି ଦାବି କରୁଛନ୍ତି, ତେବେ କେବଳ ୩୬ଟି କାହିଁକି ଆଣିବା ପାଇଁ ନିଷ୍ପତ୍ତି ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆଣ୍ଟୋନି କହିଛନ୍ତି, ୨୦୦୦ ମସିହାରେ ଭାରତ ପାଇଁ ୧୨୬ ଯୁଦ୍ଧ ବିମାନ ଆବଶ୍ୟକ ଥିଲା। ୨୦୧୮ରେ ଭାରତ ପ୍ରତି ବିପଦ ବଢ଼ିଥିବାରୁ ଆହୁରି ଅଧିକ ବିମାନର ଦରକାର ଥିଲା। କିନ୍ତୁ ମୋଦୀ ସରକାର ମାତ୍ର ୩୬ଟି ବିମାନ ପାଇଁ ଚୁକ୍ତି କରିଛନ୍ତି। ୟୁପିଏ ଦ୍ୱାରା ୧୨୬ ବିମାନ ପାଇଁ ଚୁକ୍ତି ହୋଇଥିଲା ବେଳେ ୧୮ଟି ଫ୍ରାନ୍ସରୁ ଆସିଥାନ୍ତା ଏବଂ ବାକି ୧୦୮ଟି ହାଲ୍‌ ଦ୍ୱାରା ଭାରତରେ ନିର୍ମାଣ ହୋଇଥାନ୍ତା। ଏହାଦ୍ୱାରା ଦେଶ ଉପକୃତ ହୋଇଥାନ୍ତା। କିନ୍ତୁ ମୋଦୀ ସରକାର ହାଲ୍‌ ପରିବର୍ତ୍ତେ ଏକ ଘରୋଇ କମ୍ପାନିକୁ ଏଥିପାଇଁ ଉପଯୁକ୍ତ ମଣିଲେ।
ଆଣ୍ଟୋନି ଆହୁରି କହିଛନ୍ତି ଯେ ୟୁପିଏ ବେଳେ ହୋଇଥିବା ଚୁକ୍ତି ଯଦି ବାତିଲ ହୋଇନଥାନ୍ତା, ତେବେ ହାଲ୍‌କୁ ଆବଶ୍ୟକ ଅତ୍ୟାଧୁନିକ ଭିତ୍ତିଭୂମି ଓ ଟେକ୍ନୋଲୋଜି ଯୋଗାଇଥିଲେ, ଏହା ବିମାନ ତିଆରି ପାଇଁ ସମର୍ଥ ହୋଇପାରିଥାନ୍ତା। ବିମାନ ନିର୍ମାଣ ପାଇଁ ଏହା ଅଭିଜ୍ଞତା ହାସଲ କରିଥାନ୍ତା। ଫଳରେ ଦେଶରେ ଅନେକ ବିଶେଷଜ୍ଞ ସୃଷ୍ଟି ହୋଇଥାନ୍ତେ। ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା। କିନ୍ତୁ ମୋଦୀ ସରକାରଙ୍କ ଦ୍ୱାରା ହୋଇଥିବା ଚୁକ୍ତି ଏ ସବୁକୁ କ୍ଷତି ପହଞ୍ଚାଇଛି। ଦେଶର ନିଯୁକ୍ତି ସୃଷ୍ଟି ସଂକୁଚିତ ହେବା ସହିତ ଜାତୀୟ ସୁରକ୍ଷା ପ୍ରତି କ୍ଷତି ପହଞ୍ଚିବା ଆଶଙ୍କା ସୃଷ୍ଟି ହୋଇଛି।
ସୀତାରମଣ କହିଛନ୍ତି, ଉତ୍ପାଦନ ବାବଦରେ ହାଲ୍‌ ଓ ଡାସଲ୍ଟ ମଧ୍ୟରେ ସହମତି ହୋଇପାରିଲା ନାହିଁ। ଏଥିପାଇଁ ସରକାରଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ। ୟୁପିଏ ବେଳେ ହିଁ ହାଲ୍‌ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇନଥିଲା। ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍‌କୁ ଖୁସି କରିବାକୁ ଯାଇ ମୋଦୀ ସରକାର ହାଲ୍‌ ପ୍ରତି ଆଖି ବୁଜିଦେଲେ ବୋଲି ଆଣ୍ଟୋନି ଦେଇଥିବା ଟିପ୍ପଣୀ ଉପରେ ସୀତାରମଣ ଏହା କହିଛନ୍ତି। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଏଭଳି କାଦୁଅ ଫିଙ୍ଗା ଯୋଗୁ ଆଗକୁ ରାଫେଲ୍‌ ଚୁକ୍ତି ପ୍ରସଙ୍ଗ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର