ନୂଆଦିଲ୍ଲୀ : ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ଶୁକ୍ରବାର ସୁପ୍ରିମ୍ କୋର୍ଟ କ୍ଲିନ୍ଚିଟ୍ ଦେବା ପରେ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ନେଇ ସଂସଦରେ ହଟ୍ଟଗୋଳ ପରିସ୍ଥିତି ଲାଗି ରହିଛି। ତେବେ ଏଥିଯୋଗୁ ଉଭୟ ଲୋକସଭା ଓ ରାଜ୍ୟସଭାରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିନପାରିବା ଘଟଣାକୁ ବିଜେଡି ନାପସନ୍ଦ କରିଛି। ରାଫେଲ୍ ମାମଲାର ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ପାଇଁ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରୁଛନ୍ତି। ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ଯେ ସଂସଦରେ ତିତ୍ଲି କ୍ଷତି, ମହିଳା ସଂରକ୍ଷଣ ବିଲ୍ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୁନାହିଁ। ରାଫେଲ୍ ଚୁକ୍ତିକୁ ନେଇ ହଟ୍ଟଗୋଳ ସ୍ଥିତି ଉପୁଜିବାରୁ ଏହା ସମ୍ଭବ ହେଉନାହିଁ। ତେବେ ସେ ଏହାକୁ ନାପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଗୃହକାର୍ଯ୍ୟକୁ ସୁଚାରୁରୂପେ ଚଳାଇବା ନିମନ୍ତେ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ତେବେ ରାଫେଲ୍ ଚୁକ୍ତି ମାମଲାକୁ ନେଇ ଗୃହ ବାରମ୍ବାର ମୁଲତବୀ ରହିବା ଯୋଗୁ କୌଣସି ପ୍ରସଙ୍ଗ ଉଠିପାରୁ ନାହିଁ ଏବଂ ଏହାଦ୍ବାରା ଓଡ଼ିଶା ସମେତ ସମଗ୍ର ଦେଶର ସ୍ବାର୍ଥ ପ୍ରଭାବିତ ହେଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏମିତି କି ଆସନ୍ତାକାଲି ମଧ୍ୟ ରାଫେଲ୍ ମାମଲାକୁ ନେଇ ଗୃହରେ ହଟ୍ଟଗୋଳ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।