ରାଫେଲ ଡ଼ିଲ ଅନିୟମିତତାର ନିର୍ଦ୍ଦେଶକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟି ଟଙ୍କାର ରାଫେଲ ଡିଲରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଏହା ନ୍ୟାୟିକ ଯାଂଚ ପାଇଁ ଫ୍ରାନ୍ସ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେବଳ ନିର୍ଦ୍ଦେଶ ନୁହେଁ ଏନେଇ ମଧ୍ୟ ଜଣେ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ଫ୍ରାନ୍ସ ସରକାର । ଏନେଇ ଫ୍ରାନ୍ସିସ୍ ମିଡିଆ ଜର୍ନଲ ମିଡିଆପାର୍ଟ ସୂଚନା ଦେଇଛି । ଏହି ରିପୋର୍ଟରେ କୁହାଯାଇଛି କି ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬ ରେ ହୋଇଥିବା ରାଫେଲ ଡିଲରେ ଅନିୟମିତତା ଉପରେ ଜୁନ ୧୪ ତାରିଖରୁ ଯାଂଚ ଆରମ୍ଭ ହୋଇଛି । କହିରଖୁ କି ୨୦୧୬ ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ୩୬ ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଡିଲ୍ ହୋଇଥିଲା ।

ଏହା ମଧ୍ୟରୁ ଏପର୍ଯ୍ୟନ୍ତ ଭାରତରେ ୨୪ ଟି ରାଫେଲ ବିମାନ ପହଂଚିଛି । ଏହି ମାମଲାକୁ ନେଇ କଂଗ୍ରେସ ଏବେ ପୁଣିଥରେ ମୋଦୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି । ପୂର୍ବରୁ ଏହି ମାମଲାରେ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ଫ୍ରାନ୍ସ ସରକାର ଯାଂଚ ନିର୍ଦ୍ଦେଶ ଦେବା କଂଗ୍ରେସକୁ ସୁଯୋଗ ମିଳିଛି । କଂଗ୍ରେସ ତରଫରୁ ଏହି ମାଲାରେ ସଂଯୁକ୍ତ ସଂସଦୀୟ ସମିତି (ଜେପିସି) ଦ୍ୱାରା ଯାଂଚ କରାଇବାକୁ ଦାବି କରିଛି । ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ଆକ୍ରମଣ କରିଛନ୍ତି । ସେ ଟ୍ୱିଟ୍ କରି ଜେପିସି ତଦନ୍ତ ଉପରେ ବିଜେପି ସରକାର କାହିଁକି ପଛଘୁଞ୍ଚା ଦେଉଛି ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପବନ ଖେଡା କହିଛନ୍ତି କି ଫ୍ରାନ୍ସ ସରକାର ଏହି ଡିଲକୁ ନେଇ ଯାଂଚ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଡିଲରୁ ଲାଭ ଉଠାଇଥିବା ଭାରତ ସରକାର କାହିଁକି ଯାଂଚ ନିର୍ଦ୍ଦେଶ ଦେଉ ନାହାନ୍ତି । କଂଗ୍ରେସର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି କହିଛି କି ଏହି ଡିଲରେ କୌଣସି ଅନିୟମିତତା ହୋଇ ନାହିଁ । ତେଣୁ ଯାଂଚର କୌଣସି ଆବଶ୍ୟକତା ନାହିଁ । କହିରଖୁ କି ରାଫେଲ ଡିଲ ଉପରେ ଯାଂଚ ମାମଲା ବି ସୁପ୍ରିମକୋର୍ଟରେ ପହଂଚିଥିଲା । ହେଲେ ସୁପ୍ରିମକୋର୍ଟ ଏହି ମାମଲାକୁ ଯାଂଚ ଯୋଗ୍ୟ ନୁହେଁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର