ରାଫେଲ ପ୍ରସଙ୍ଗ : ବିବାଦରେ ଫସିଲା ପିଏମ୍‌ଓ

ଭଦ୍ରାଙ୍କୁ ଜେରା ହେଉ, କିନ୍ତୁ ରାଫେଲର ଯାଞ୍ଚ ‌ବି ହେଉ: ର‌ାହୁଲ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ବିବାଦରେ ଫସିଯାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)। ଇଂରାଜୀ ‌ସମ୍ବାଦପତ୍ର ‘ଦି ହିନ୍ଦୁ’ରେ ପ୍ରକାଶିତ ରିପୋର୍ଟ ଆଧାରରେ ପିଏମ୍‌ଓର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ କଂଗ୍ରେସକୁ ଏହା ଖୋରାକ ଯୋଗାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା ପାଇଁ ସୁଯୋଗ ପାଇ ଯାଇଛନ୍ତି।

ରାହୁଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଫେଲ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ପୁଣି ଘେରିଥିଲେ। ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ରିପୋର୍ଟକୁ ଦେଖାଇ ସେ କହିଥିଲେ ଯେ, ଏହି ଚୁକ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ସଂପୃକ୍ତ ଅଛନ୍ତି ଏବଂ ୩୦ ହଜାର କୋଟି ଟଙ୍କା ଚୋରି କରିଛନ୍ତି। ରିପୋର୍ଟକୁ ଉଲ୍ଲେଖ କରି ରାହୁଲ ଆହୁରି କହିଥିଲେ ଯେ, ଭାରତ ଏବଂ ଫ୍ରାନ୍‌ସ ମଧ୍ୟରେ ହୋଇଥିବା ରାଫେଲ ଚୁକ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ହୋଇଥିବା ସମାନ୍ତରାଳ କଥାବାର୍ତ୍ତାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିରୋଧ କରିଥିଲା। ତେଣୁ, ଏହି ପ୍ରସଙ୍ଗରେ ପିଏମ୍‌ଓ କଭଳି ହସ୍ତକ୍ଷେପ କରୁଥିଲା, ତାହା ଏଇଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଏହି ଅଭିଯୋଗକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ସେ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ଏକ ନୋଟ୍‌ ଦେଖାଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଆହୁରି ମଧ୍ୟ କହିଥିଲେ ଯେ ରବର୍ଟ ଭଦ୍ରା ଏବଂ ପି. ଚିଦମ୍ବରମଙ୍କୁ ନେଇ ସରକାର ଯେ‌ତେ ଯାଞ୍ଚ କରିବା କଥା କରନ୍ତୁ, କିନ୍ତୁ ରାଫେଲ ବାବଦରେ ମଧ୍ୟ ଯାଞ୍ଚ ହେବା ଜରୁରୀ। ତେବେ ତତ୍କାଳୀନ ପ୍ରତିରକ୍ଷା ସଚିବ ଜି ମୋହନ କୁମାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ରିପୋର୍ଟ ସହ ରାଫେଲ ଚୁକ୍ତିର କୌଣସି ସଂପର୍କ ନାହିଁ। ରାଫେଲର ମୂଲ୍ୟ ସହ ମନ୍ତ୍ରାଳୟର କୌଣସି ଅଧିକାରୀଙ୍କ ନୋଟ୍‌ର ସାମାନ୍ୟତମ ସଂପର୍କ ନାହିଁ ।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ ରାହୁଲଙ୍କ ଜବାବ ଦେଇ କହିଛନ୍ତି ଯେ, ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଦେଶକୁ ବଦନାମ କରିବା ପାଇଁ କଂଗ୍ରେସ ସୁପାରି ନେଇଛି। କଂଗ୍ରେସକୁ ନିଜ ଇଜ୍ଜତର ଚିନ୍ତା ନାହିଁ କି ଅପମାନକୁ ଭୟ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର