ରାଫେଲ୍‌ ଚୁକ୍ତି ପୂର୍ବରୁ ଦୁର୍ନୀତି ପାଇଁ ବାଟ ଫିଟାଇଥିଲେ!

ନୂଆ ତଥ୍ୟକୁ ନେଇ ଅଡ଼ୁଆରେ ମୋଦୀ

ନୂଆଦିଲ୍ଲୀ : ରାଫେଲ ଚୁକ୍ତିରେ ହୋଇଥିବା ଅନିୟମିତତା ସଂପର୍କରେ ଆଉ ଏକ ବିସ୍ଫୋରକ ତଥ୍ୟ ସାମ୍‌ନାକୁ ଆସିଛି। ଫ୍ରାନ୍ସ ସହିତ ଭାରତ ସରକାର ଏହି ଚୁକ୍ତି ସ୍ବାକ୍ଷର କରିବା ପୂର୍ବରୁ ଦୁର୍ନୀତି ବି‌ରୋଧୀ ସର୍ତକୁ ହଟାଇ ଦିଆଯାଇଛି। କେବଳ ଏତିକି ନୁହେଁ ମିଳିତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଲାଗି ବିଶେଷଜ୍ଞଙ୍କ ପ୍ରସ୍ତାବକୁ ମଧ୍ୟ ଅଗ୍ରାହ୍ୟ କରି ଦିଆଯାଇଛି।

ଦୈନିକ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ରେ ଆଜି ଏସଂକ୍ରାନ୍ତ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ପ୍ରତିରକ୍ଷା ଚୁକ୍ତି ପାଇଁ ଭାରତ ସରକାରଙ୍କ ଏକ ଗାଇଡ୍‌ଲାଇନ ରହିଛି, ଯାହାକୁ ଷ୍ଟାଣ୍ଡାର୍ଡ ଡିଫେନ୍ସ ପ୍ରୋକିୟୋରମେଣ୍ଟ ପ୍ରୋସିଜିଓର ବୋଲି କୁହାଯାଏ। ଅହେତୁକ ଚାପ ଏବଂ ଏଜେଣ୍ଟ/ଏଜେନ୍ସି କମିସନି କାରବାରକୁ ରୋକିବାକୁ ଏଥିରେ ବ୍ୟବସ୍ଥା ରହିଛି। ଏଥିଲାଗି ଦଣ୍ଡବିଧାନର ଧାରା ମଧ୍ୟ ରହିଛି। କେବଳ ଏତିକି ନୁହେଁ ଚୁକ୍ତି ବେଳେ ବ୍ୟାଙ୍କ ଖାତାର ସ୍ବଚ୍ଛତା ବଜାୟ ରଖିବାକୁ ସର୍ତ ରହିଛି। କିନ୍ତୁ ୫୮ ହଜାର କୋଟି ଟଙ୍କାର ରାଫେଲ ଚୁକ୍ତି ସ୍ବାକ୍ଷର କରିବାର କିଛି ଦିନ ପୂର୍ବରୁ ଗାଇଡଲାଇନରୁ ଏହି ସବୁ ଦଫାକୁ ହଟାଇ ଦିଆଯାଇଛି। କାରବାରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଉଭୟ ଦେଶ ମିଳିତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ପ୍ରତିରକ୍ଷା ବିଭାଗର ଆର୍ଥିକ ଉପଦେ‌ଷ୍ଟା ଶୁଭ୍ରାଂଶୁ ମହାନ୍ତି ପରାମର୍ଶ ଦେଇଥିଲେ। ମୋଦୀ ସରକାର ଏହି ପରାମର୍ଶକୁ ମଧ୍ୟ ଗ୍ରହଣ କରିନଥିଲେ।

କେତେକ ସରକାରୀ ଦସ୍ତାବିଜ୍ ପ୍ରକାଶ କରି ‘ଦି ହିନ୍ଦୁ’ରେ କୁହାଯାଇଛି ଯେ ୨୦୧୬ ସେପ୍ଟେମ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଅଧ୍ୟକ୍ଷତାରେ ଡିଫେନ୍ସ ଆକ୍ବିଜେସନ୍ କାଉନସିଲର ବୈଠକ ବସିଥିଲା। ପ୍ରତିରକ୍ଷା ଚୁକ୍ତି ଗାଇଡଲାଇନ୍ସରେ ଥିବା ୮ଟି ସର୍ତରେ ପରିବର୍ତନ କରିବା ଲାଗି ବୈଠକରେ ସ୍ଥିର ହୋଇଥିଲା। ଏଥିରେ କିଣାବିକା ପାଇଁ ଅହେତୁକ ଚାପ ଓ ଏଜେନ୍ସି କମିସନ କାରବାର ବିରୋଧୀ ଦଫାକୁ ହଟାଇ ଦିଆଯାଇଥିଲା। ରାଫେଲ ଚୁକ୍ତି ଆଲୋଚନା ପାଇଁ ଗଠିତ ଟିମର ତିନି ଜଣ ସଭ୍ୟ ଏହି ପରିବର୍ତନକୁ ବିରୋଧ କରି ମନ୍ତବ୍ୟ ଦେଇଥିବ‌ା କୁହାଯାଉଛି।

ନିୟମ ଅନୁଯାୟୀ ଚୁକ୍ତି ପାଇଁ ଫ୍ରାନ୍ସ ସରକାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବା କଥା। କିନ୍ତୁ ଭାରତ ସରକାର ଏହାକୁ ଗୁରୁତ୍ବ ନଦେଇ ଫ୍ରାନ୍ସ ସରକାର ଠାରୁ କେବଳ ‘ଲେଟର ଅଫ୍ କମ୍‌ଫର୍ଟ’ ନେଇଥିଲେ। ଅଦାଲତ‌େରେ ଏଭଳି ଲେଟରର କୌଣସି ଗୁରୁତ୍ବ ନାହିଁ। ସେହିଭଳି ମିଳିତ ଆକାଉଣ୍ଟ ବ୍ୟବସ୍ଥା ଅନୁଯାୟୀ ଏହି ବ୍ୟାଙ୍କ ଆକାଉଣ୍ଟ ଫ୍ରାନ୍ସ ସରକାର ଦ୍ବାରା ପରିଚାଳିତ ହେବ ଏବଂ ଭାରତ ସରକାର ଏଥିରେ ଅର୍ଥ ଜମା କରିବେ। ଭାରତ ସରକାରଙ୍କ ଅନୁମତି ପରେ ଯାଇ ଏହି ଅର୍ଥକୁ ରାଫେଲ କଂପାନୀକୁ ଦିଆଯାଇପାରିବ। କିନ୍ତୁ ରାଫେଲ ଚୁକ୍ତି‌େର ଏହି ବ୍ୟବସ୍ଥା ନାହିଁ।

ସୂଚନାଯୋଗ୍ୟ ଯେ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ଲାଗି ଫ୍ରାନ୍ସ ସହିତ ଭାରତ ସରକାର ୫୮ ହଜାର କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ର‌ାଫେଲ ନିର୍ମାତା କଂପାନୀ ଡାସଲଟ୍ ଏବଂ ଅସ୍ତ୍ର ଯୋଗାଣକାରୀ ଏମବିଡିଏ ଭଳି ଦୁଇଟି ଘରୋଇ କଂପାନୀ ଏହି ଚୁକ୍ତିରେ ସଂପୃକ୍ତ ଥିଲେ।

ଏହି ଦୁଇଟି କଂପାନୀ ସହିତ ଭାରତର ପ୍ରତିରକ୍ଷା ବିଭାଗ ଚୁକ୍ତି ପାଇଁ କଥାବାର୍ତା କରୁଥିବା ବେଳେ ସମାନ୍ତରାଳ ଭାବେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଫ୍ରାନ୍ସ ସରକାରଙ୍କ ସହିତ କଥାବାର୍ତା କରୁଥିଲା। ଏହାକୁ ନେଇ ଆପତ୍ତି ଉଠାଇଥିଲେ ପ୍ରତିରକ୍ଷା ସଚିବ। ତେବେ ଏହାକୁ ମନ୍ତ୍ରୀ ପାରିକର ଚାପି ଦେଇଥିଲେ ବୋଲି ‘ଦି ହିନ୍ଦୁ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଦୁର୍ନୀତି ବିରୋଧରେ ଅଭିଯାନ ଚଳାଇଥିବା କଥା କହୁଥିବା ପ୍ରଧାନମନ୍ତ୍ରୀ ମୋଦୀ କିପରି ଏହି ଚୁକ୍ତିରେ ଦୁର୍ନୀତି ପାଇଁ ବାଟ ଫିଟାଇଥିଲେ ତାହା ଏଥିରେ ପ୍ରମାଣ ସହ ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର