ରାଫେଲ୍‌ ରାଜିନାମା ଉପରେ ତଦନ୍ତ ଦାବି କଲା ଫରାସୀ ଏନ୍‌ଜିଓ ‘ସେର୍ପା’

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍‌ସ୍‌ ମଧ୍ୟରେ ସ୍ୱାକ୍ଷରିତ ରାଫେଲ୍‌ ରାଜିନାମାରେ ଉଠିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଫ୍ରାନ୍‌ସ୍‌ର ଏକ ଦୁର୍ନୀତି ବିରୋଧୀ ଏନ୍‌ଜିଓ ସେଠାକାର ‘ଫାଇନାନ୍‌ସିଆଲ୍‌ ପ୍ରୋଜେକ୍ୟୁଟର୍ସ ଅଫିସ୍‌ରେ ଅଭିଯୋଗ ଦାଏର କରିଛି।

ଫରାସୀ ନିଉଜ୍‌ ପୋର୍ଟାଲ୍‌ ମିଡିଆପାର୍ଟ ଶୁକ୍ରବାର ଦିନ ରିପୋର୍ଟ କରିଛି ଯେ ଦୁର୍ନୀତି ଏବଂ କଳାଟଙ୍କା ଧଳା କାରବାର ବିରୋଧରେ ସଂଗ୍ରାମ କରୁଥିବା ‘ସେର୍ପା’ ନାମକ ଏନ୍‌ଜିଓ ଅକ୍ଟୋବର ମାସରେ ଏ ସମ୍ପର୍କରେ ଅଭିଯୋଗ ଦାଏର କରିଛି।

ରାଫେଲ୍‌ ବିକ୍ରୟ ବ୍ୟାପାରରେ କ୍ଷମତାର ଅପବ୍ୟବହାର ଏବଂ ହକ୍‌ ନ ଥିବା ସୁଯୋଗ ମଞ୍ଜୁରି କରାଯାଇଛି ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଦୁର୍ନୀତି ବିରୋଧୀ ଓକିଲ ଅଭିଯୋଗ, ମିଡିଆପାର୍ଟ ଓ ସେର୍ପା କରିଥିବା ତଦନ୍ତର ଫଳାଫଳ ଆଧାରରେ ଏହି ଅଭିଯୋଗ ଦାଏର ହୋଇଛି।

ଅଭିଯୋଗ ଅପରାଧର ବାସ୍ତବତା ଓ କାଳ୍ପନିକତା ସମ୍ପର୍କରେ ଗୁରୁତ୍ୱାରୋପ କରି ନେସ୍‌ନାଲ୍‌ ପବ୍ଲିକ୍‌ ପ୍ରୋଜେକ୍ୟୁଟର୍‌ର୍ସ ଅଫିସ୍‌ ତୁରନ୍ତ ତଦନ୍ତ କରିବ ବୋଲି ଉକ୍ତ ଏନ୍‌ଜିଓ ଆଶାପୋଷଣ କରିଛି। ଏହାଛଡ଼ା ଆର୍ଥିକ ଦୁର୍ନୀତିରେ ଫ୍ରାନ୍‌ସ୍‌ ସରକାର ଏବଂ ଡାସଲ୍‌ଟ୍‌ ଆଭିଏସନ୍‌ଙ୍କର ଭୂମିକା ଉପରେ ମଧ୍ୟ ଅଫିସ୍‌ ଆଲୋକପାତ କରିବ ବୋଲି ଏନ୍‌ଜିଓ କହିଛି।

ଡାସଲ୍‌ଟ୍‌ଙ୍କ ଭାରତୀୟ ଅଂଶୀଦାର ଅନୀଲ ଅମ୍ବାନୀଙ୍କ ରିଲାଏନ୍‌ସ୍‌ ଗ୍ରୁପ୍‌କୁ ଚୟନ କରାଯିବା ମାମଲାରେ ମଧ୍ୟ ତଦନ୍ତ କରିବାକୁ ସେର୍ପା ଦାବି କରିଛି। ଏନ୍‌ଜିଓ କହିଛି କି, ଲଢୁଆ ବିମାନ ନିର୍ମାଣ କରିବାରେ ରିଲାଏନ୍‌ସର୍‌ ଅଭିଜ୍ଞତା ନାହିଁ ଏବଂ ରାଜିନାମା ଚୂଡ଼ାନ୍ତ ଘୋଷଣା ହେବାର ମାତ୍ର ୧୨ ଦିନ ପୂର୍ବରୁ ତାହା ପଞ୍ଜିକୃତ ହୋଇଥିଲା।

ଅଭିଯୋଗ ସଂକ୍ରାନ୍ତରେ ପ୍ରୋଜେକ୍ୟୁଟର୍ସ ଅଫିସ୍‌ ତଦନ୍ତ ମାମଲା ଆରମ୍ଭ କରିଛି କି, ନାହିଁ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର