କେନ୍ଦ୍ରକୁ ରାଫେଲ୍‌ ଝଟ୍‌କା : କେତେ ଟଙ୍କାରେ କିଣିଛ, ଜଣାଅ

ସଂପୂର୍ଣ୍ଣ ମୂଲ୍ୟ ବିବରଣୀ ଦେବାକୁ ନିର୍ଦ୍ଦେଶ, ସରକାରଙ୍କୁ ୧୦ ଦିନ ମହଲତ, ତଥ୍ୟ ଦେବାକୁ ମନାକଲା କେନ୍ଦ୍ର

ନୂଆଦିଲ୍ଲୀ : ବିବାଦୀୟ ରାଫେଲ୍‌ ଚୁକ୍ତିର ସଂପୂର୍ଣ୍ଣ ମୂଲ୍ୟ ବିବରଣୀ ଦାଖଲ କରିବାକୁ ସୁପ୍ରିମ୍‌ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଉମୁଦ ଲଫାପାରେ ସମସ୍ତ ତଥ୍ୟ ଦେବାକୁ କୁହାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୧୦ ଦିନ ମହଲତ ମିଳିଛି।

ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଫ୍ରାନ୍ସରୁ ଆସିବାକୁ ଥିବା ୩୬ଟି ରାଫେଲ୍‌ ବିମାନର ମୂଲ୍ୟ ସମ୍ପର୍କିତ ପୂର୍ଣ୍ଣାଙ୍ଗ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ହେବ। ଜଉମୁଦ ଲଫାପାରେ ଏହି ତଥ୍ୟ ଦିଆଯାଇ ପାରିବ। ଚୁକ୍ତି ସହ ସଂଶ୍ଳିଷ୍ଟ ସମସ୍ତ ତଥ୍ୟ ଦାଖଲ ହେବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।

ଅନ୍ୟପକ୍ଷରେ ରାଫେଲ୍‌ ଚୁକ୍ତିର ମୂଲ୍ୟ ସମ୍ପର୍କିତ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ କହିଛନ୍ତି, ମୂଲ୍ୟ ବାବଦ ତଥ୍ୟ ସାର୍ବଜନୀନ କରିବା ସମ୍ଭବ ନୁହେଁ। ଫ୍ରାନ୍ସ ଓ ଭାରତ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷର ସମୟ‌େର କେତେକ ସର୍ତ୍ତାବଳୀ ରହିଥିଲା ଏବଂ ସେହି ସର୍ତ୍ତାବଳୀ ଅନୁସାରେ ମୂଲ୍ୟ ସମ୍ପର୍କିତ ତଥ୍ୟ ଦିଆଯାଇ ପାରିବ ନାହିଁ। ଏମିତି କି ସଂସଦରେ ମଧ୍ୟ ଏହା ପ୍ରକାଶ କରାଯାଇ ନାହିଁ ବୋଲି ସେ କହିଛନ୍ତି।

ବେଣୁଗୋପାଳଙ୍କ ଜବାବ ଉପରେ ସୁପ୍ରିମ୍‌ କୋର୍ଟ ଖଣ୍ଡପୀଠ କହିଲେ ଯେ ଚୁକ୍ତି ସମ୍ପର୍କରେ ସରକାରଙ୍କୁ ଲୋକଙ୍କ ସମ୍ମୁଖରେ ତଥ୍ୟ ରଖିବାକୁ ହେବ। ଯଦି ଏହା ସାର୍ବଜନୀନ ହୋଇପାରିବ ନାହିଁ ବୋଲି ଚୁକ୍ତିରେ ସର୍ତ୍ତ ରହିଛି, ତେବେ ଏ ନେଇ ସତ୍ୟପାଠରେ ଉଲ୍ଲେଖ କରି ଜଣାଇବାକୁ ପଡ଼ିବ। ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଚୁକ୍ତି ସମ୍ପର୍କିତ ଗୋପନ ତଥା ରଣନୀତି ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିବା ଜରୁରୀ ନୁହେଁ। କେବଳ ମୂଲ୍ୟ ବାବଦରେ ସରକାର ସୂଚନା ଦିଅନ୍ତୁ। ଏହାପରେ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣିକୁ ନଭେମ୍ବର ୧୪କୁ ଘୁଞ୍ଚାଇ ଦେଇଥି‌େଲ।

ଉଲ୍ଲେଖ‌େଯାଗ୍ୟ, ମୋଦୀ ସରକାର ଫ୍ରାନ୍ସରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିବା ପାଇଁ ଚୁକ୍ତି କରିଥିଲା ବେଳେ ଏଥିରେ କେତେ ଟଙ୍କା କାରବାର ହୋଇଛି ସେ ନେଇ ଆଜି ପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ। ଫଳରେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରିଆସୁଛନ୍ତି। ସେମାନଙ୍କ କହିବା କଥା ହେଉଛି ୟୁପିଏ ସରକାର ସମୟରେ ଯେଉଁ ମୂଲ୍ୟ ଆଧାରରେ ଚୁକ୍ତି ହୋଇଥିଲା, ତା’ଠାରୁ ୩ ଗୁଣ ଅଧିକ ମୂଲ୍ୟରେ ୩୬ ବିମାନ କିଣିବା ପାଇଁ ମୋଦୀ ସରକାର ଚୁକ୍ତି କରିଛନ୍ତି। ଏହାଦ୍ବାରା ବିପୁଳ ରାଜସ୍ବହାନି ହୋଇଛି ବୋଲି ସେମାନେ ଦର୍ଶାଇଛନ୍ତି। ରାଫେଲ୍‌ ଚୁକ୍ତି ମୂଲ୍ୟ ସାର୍ବଜନୀନ ପାଇଁ ସୁପ୍ରିମ୍‌ କୋର୍ଟରେ ଏକାଧିକ ଆବେଦନ କରାଯାଇଛି। ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ, ପୂର୍ବତନ ମନ୍ତ୍ରୀ ଅରୁଣ ସୌରି ଏବଂ ଯଶୋବନ୍ତ ସିହ୍ନା ମଧ୍ୟ ଏହି ଆବେଦନକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ, ରାଫେଲ୍‌ ବିମାନ ଚୁକ୍ତି ବାବଦରେ ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେବାକୁ ଏହାପୂର୍ବରୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ। ନିର୍ଦେଶ ମୁତାବକ କେନ୍ଦ୍ର ପକ୍ଷରୁ ତଥ୍ୟ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର