ରାଫେଲ ବିବାଦ:ଆଗୁଆ ସୂଚନା ପାଇଥିଲେ ଅମ୍ବାନି: ରାହୁଲ

ରିଲାଏନ୍‌ସର ସଫେଇ:ଇ-ମେଲ ସହ ‘ରାଫେଲ ଏମ୍‌ଓୟୁ’ର ସଂପର୍କ ନାହିଁ

ମୋଦୀ ଅନୀଲ ଅମ୍ବାନିଙ୍କ ମଧ୍ୟସ୍ଥି ସାଜିଥିଲେ

ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲଗାତାର ଟାର୍ଗେଟ୍‌ କରିଚାଲିଥିବା ବେଳେ ଆଜି ଆଉ ଏକ ଅଭିଯୋଗ ଆଣିଛନ୍ତି। ମୋଦୀ ରିଲାଏନ୍‌ସ ଡିଫେନ୍ସକୁ ଫାଇଦା ଦେବାପାଇଁ ଅନୀଲ ଅମ୍ବାନିଙ୍କ ମଧ୍ୟସ୍ଥି ଭଳି କାମ କରିଥିଲେ ବୋଲି ରାହୁଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରାହୁଲ କହିଛନ୍ତି ଯେ ଏହି ମାମଲାରେ ଏକ ଇ-ମେଲ ଏବେ ସାମ୍ନାକୁ ଆସିଛି। ଅନୀଲ ଅମ୍ବାନି ଫ୍ରାନ୍‌ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଫେଲ ଚୁକ୍ତି ବାବଦରେ ସବିଶେଷ ତଥ୍ୟ ଦେଇଥିଲେ। ସେ ପୂର୍ବରୁ ରାଫେଲ ଚୁକ୍ତି ନେଇ ଅନେକ କିଛି ଅବଗତ ଥିଲେ ଯାହାକି ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଦେଶ ସଚିବ ମଧ୍ୟ ଜାଣିନଥିଲେ ବୋଲି ରାହୁଲ କହିଛନ୍ତି। ଚୁକ୍ତିର ୧୦ ଦିନ ପୂର୍ବରୁ ଅନୀଲ ଅମ୍ବାନି ଏହା କିଭଳି ଜାଣିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏ ଦିଗରେ ପ୍ରଧାନମନ୍ତ୍ରୀ ମୋଦୀ ଅମ୍ବାନିଙ୍କ ପାଇଁ ମଧ୍ୟସ୍ଥି ଭଳି କାମ କରିଥିବାରୁ ସରକାରୀ ଗୋପନୀୟତା ଉଲ୍ଲଂଘନ ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ଓ ତାଙ୍କୁ ଜେଲ୍‌ ପଠାଇବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି।
କଂଗ୍ରେସ ଲଗାତାର ରାଫେଲ ଚୁକ୍ତିର ରହସ୍ୟ ଉନ୍ମୋଚନ ପାଇଁ ପ୍ରୟାସ କରି ଆସୁଛି ଏବଂ ଆଗକୁ ଏହା ଜାରି ରହିବ ବୋଲି ରାହୁଲ କହିଛନ୍ତି। ସରକାର ଜେପିସି ତଦନ୍ତ କରାଇବା ଜରୁରୀ ବୋଲି ରାହୁଲ କହିଛନ୍ତି।

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ରିଲାଏନ୍‌ସ ଡିଫେନ୍ସ ବିରୋଧରେ ଆଣିଥିବା ଅଭିଯୋଗକୁ ସଂସ୍ଥା ପକ୍ଷରୁ ଖଣ୍ଡନ କରାଯାଇଛି । ପ୍ରସ୍ତାବିତ ରାଫେଲ ଏମ୍‌ଓୟୁ ସହ ଏହି ଇ-ମେଲ୍‌ର କୌଣସି ସଂପର୍କ ନାହିଁ ଏବଂ ଏହି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରିଲାଏନ୍‌ସ ଡିଫେନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏକ ଇମେଲ୍‌ କପି ଦେଖାଇ କହିଥିଲେ ଯେ ରିଲାଏନ୍‌ସ ପୂର୍ବରୁ ରାଫେଲ ଚୁକ୍ତି ବାବଦରେ ସବୁକିଛି ଅବଗତ ଥିଲା।

ସମ୍ବନ୍ଧିତ ଖବର