ବାୟୁସେନାରେ ସାମିଲ ହେଲା ରାଫେଲ୍‌

ନୂଆଦିଲ୍ଲୀ : ପୂର୍ବ ଲଦାଖ୍‌ ସୀମାରେ ଭାରତ ଏବଂ ଚୀନ୍‌ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାବେଳେ ଆଜି ଭାରତୀୟ ବାୟୁସେନାରେ ସର୍ବାଧୁନିକ ଯୁଦ୍ଧ ବିମାନ ରାଫେଲ୍‌ ସାମିଲ ହୋଇଛି। ଫ୍ରାନ୍ସରୁ କ୍ରୟ କରାଯାଇଥିବା ୫ଟି ରାଫେଲ୍‌ ଯୁଦ୍ଧ ବିମାନ ଆଜି ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହୋଇଛି। ଏହି ଅବସରରେ ସର୍ବଧର୍ମ ପୂଜା ମଧ୍ୟ ସମ୍ପନ୍ନ ହୋଇଥିଲା। ଅମ୍ବାଲା ବାୟୁସେନା ଘାଟିରେ ଅନୁଷ୍ଠିତ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ମଧ୍ୟ ଉପସ୍ଥିତ ଥିଲେ। ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୋରିଆ, ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଜି ପୂର୍ବାହ୍ନ ୧୦ଟା ବେଳେ ପୂଜା ସମ୍ପନ୍ନ କରାଯାଇଥିଲା। ଏହାପରେ ଫ୍ଲାଏପାଷ୍ଟ୍‌ ହୋଇଥିଲା। ଫ୍ଲାଏପାଷ୍ଟ୍‌ ସମୟରେ ରାଫେଲ୍‌ ଏହାର ଉଡ଼ାଣ କୌଶଳ ପ୍ରଦର୍ଶନ କରି ଶତ୍ରୁକୁ ନିଜର ଶକ୍ତି ଦେଖାଇଥିଲା। ଫ୍ଲାଏପାଷ୍ଟ୍‌ ସମୟରେ ରାଫେଲ୍‌ ସହିତ ଆକାଶରେ ତେଜସ୍‌ ଏବଂ ସୁଖୋଇ ଯୁଦ୍ଧ ବିମାନ ମଧ୍ୟ ସେମାନଙ୍କ ପରାକ୍ରମ ଦେଖାଇଥିଲେ।

ଏହି ଭବ୍ୟ ସମାରୋହରେ ୫ଟି ରାଫେଲ୍‌ ଯୁଦ୍ଧବିମାନକୁ ବାୟୁସେନାର ‘ଗୋ‌ଲ୍ଡେନ୍‌ ଏରୋ ସ୍କ୍ବାଡ୍ରୋନ୍‌’ରେ ସାମିଲ କରାଯାଇଥିଲା। ଅତ୍ୟାଧୁନିକ ଯୁଦ୍ଧ ବିମାନର ଅଭାବ ଥିବାରୁ ଏଭଳି ଏକ ଦିନକୁ ଭାରତୀୟ ବା‌ୟୁସେନା ଦୀର୍ଘଦିନରୁ ପ୍ରତୀକ୍ଷ‌ା କରିଥିଲା। ଆଜି ରାଫେଲ୍‌ ସାମିଲ ହେବା ସହିତ ବାୟୁସେନାର ଶକ୍ତି ବୃଦ୍ଧି ହୋଇଛି ଏବଂ ପାକିସ୍ତାନ ଓ ଚୀନ୍‌ ସହ ଉତ୍ତେଜନା ଦୃଷ୍ଟିରୁ ଏହା ଅତୀବ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ରାଫେଲ୍‌ ବାୟୁସେନାରେ ସାମିଲ ହେବା ଏକ ଐତିହାସିକ ମୁହୂର୍ତ୍ତ। ଏହା ଭାରତ ଏବଂ ଫ୍ରାନ୍ସର ନିବିଡ଼ ସମ୍ପର୍କକୁ ପ୍ରମାଣିତ କରିଛି। ରାଫେଲ୍‌କୁ ଭାରତୀୟ ବାୟୁସେନାରେ ସାମିଲ କରାଯିବା ପୂରା ବିଶ୍ବ ପାଇଁ ଏକ ବଡ଼ ବାର୍ତ୍ତା ବୋଲି ରାଜନାଥ କହିଛନ୍ତି। ବିଶେଷ କରି ଯେଉଁ ରାଷ୍ଟ୍ରମାନେ ଆମର ସାର୍ବଭୌମତ୍ବ ଉପରେ ନଜର ପକାଉଛନ୍ତି ସେମାନଙ୍କ ପାଇଁ ଏହା ଏକ କଡ଼ା ବାର୍ତ୍ତା ବହନ କରୁଛି ବୋଲି ସେ କହିଛନ୍ତି। ରାଫେଲ୍‌କୁ ଗେମ୍‌ ଚେଞ୍ଜର ବୋଲି ମତଦେଇ ରାଜନାଥ କହିଥିଲେ, ଆମ ସୀମାରେ ଏବେ ଯେଭଳି ପରିସ୍ଥିତି ଲାଗି ରହିଛି ତାହାକୁ ନଜରରେ ରଖି ବିଚାର କଲେ ସେମାନଙ୍କ ପାଇଁ ଏହା ସିଧାସଳଖ ବାର୍ତ୍ତା ।

ସମ୍ବନ୍ଧିତ ଖବର