ପହଞ୍ଚିଲା ‘ମହାବିନାଶକ’ ରାଫେଲ୍‌, ଅମ୍ବାଲାରେ ସଫଳ ଅବତରଣ

ଦୁଇ ସୁଖୋଇ ଜେଟ୍‌ ଏସ୍‌କର୍ଟ କରି ପହଞ୍ଚାଇଲେ, ବାୟୁସେନା ମୁଖ୍ୟ ସ୍ବାଗତ କଲେ

ଅମ୍ବାଲା: ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ୫ଟି ରାଫେଲ ଯୁଦ୍ଧ ବିମାନ ଆଜି ଅମ୍ବାଲା ଏୟାରବେସ୍‌ରେ ସଫଳ ଅବତରଣ କରିଛି। ରାଫେଲ ଅବତରଣର ଐତିହାସିକ ମୁହୂର୍ତ୍ତର ଭିଡିଓ ପ୍ରତିରକ୍ଷା ମନ୍ତ୍ରାଳୟ ସେୟାର କରିଛି। ଏହା ପୂର୍ବରୁ ରାଫେଲ ଯେତେବେଳେ ଭାରତୀୟ ବାୟୁସୀମାରେ ପ୍ରବେଶ କଲା ସେତେବେଳେ ୨ଟି ସୁଖୋଇ ଜେଟ୍‌ ଏହାକୁ ଏସ୍‌କର୍ଟ କରି ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚାଇଥିଲା। ଏହା ପୂର୍ବରୁ ରାଫେଲ ଭାରତର ସୀମାରେ ପ୍ରବେଶ କରିବା ପୂର୍ବରୁ ଆରବ ସାଗରରେ ମୁତୟନ ହୋଇଥିବା ଯୁଦ୍ଧପୋତ ଆଇଏନ୍‌ଏସ୍‌ କୋଲାକାତା ସହିତ ସଂପର୍କ ସ୍ଥାପନ କରିଥିଲା। ଯୁଦ୍ଧ ଦୃଷ୍ଟିରୁ ‘ଗେମ୍‌ଚେଞ୍ଜର୍‌’ କୁହାଯାଉଥିବା ବିଶ୍ବର ଶ୍ରେଷ୍ଠ ଯୁଦ୍ଧ ବିମାନ ରାଫେଲକୁ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆର୍‌.କେ. ଏସ୍‌. ଭଦୋରିଆ ଅମ୍ବାଲାରେ ସ୍ବାଗତ କରିଥିଲେ। ଏହାକୁ ଭାରତୀୟ ବାୟୁସେନାରେ ୧୭ତମ ସ୍କ୍ବାଡ୍ରନ୍‌ରେ ସାମିଲ କରାଯିବ। ଏହା ଅମ୍ବାଲା ଏୟାରବେସ୍‌ରେ ‘ଗୋଲ୍‌ଡେନ ଏରୋଜ୍‌’ ନାମରେ ମଧ୍ୟ ପରିଚିତ।

ଭାରତୀୟ ବାୟୁସେନାର ଏୟାର କ୍ରୁ ଏବଂ ଗ୍ରାଉଣ୍ଡ୍‌ କ୍ରୁ ସଦସ୍ୟଙ୍କୁ ରାଫେଲ ଯୁଦ୍ଧ ବିମାନ ସଂକ୍ରାନ୍ତ ବ୍ୟାପକ ତାଲିମ ପ୍ରଦାନ କରାଯାଇଛି। ବାୟୁସେନାର ଏହ ସୁଦକ୍ଷ ସଦସ୍ୟମାନେ ରାଫେଲ ମାଧ୍ୟମରେ ଅତ୍ୟାଧୁନିକ ଅସ୍ତ୍ର ବ୍ୟବସ୍ଥାର ସଂଚାଳନ ଅଭ୍ୟାସ ମଧ୍ୟ ସଂପନ୍ନ କରିଛନ୍ତି। ଏବେ ରାଫେଲ ଖୁବ୍‌ଶୀଘ୍ର ଯୁଦ୍ଧାଭ୍ୟାସରେ ନିୟୋଜିତ ହେବ। ୧୭ ସ୍କ୍ବାଡ୍ରନ୍‌ର କମାଣ୍ଡିଂ ଅଫିସର ହରକିରତ ସିଂହ ଗ୍ରୁପ୍‌ କମାଣ୍ଡର ଦାୟିତ୍ବରେ ଅଛନ୍ତି ଏବଂ ତାଙ୍କ ସହିତ ୱିଙ୍ଗ୍‌ କମାଣ୍ଡର ଏମ୍‌କେ ସିଂହ ଏବଂ ୱିଙ୍ଗ୍‌ କମାଣ୍ଡର ଆର୍‌ କଟାରିଆ ମଧ୍ୟ ପାଇଲଟ ଦଳରେ ସାମିଲ ହୋଇଛନ୍ତି। ରାଫେଲ ଯୁଦ୍ଧ ବିମାନର ଅସ୍ତ୍ର ପ୍ୟାକେଜ୍‌ ବିଶ୍ବରେ ସର୍ବୋତ୍ତମ ବିବେଚିତ ହୋଇଛି ଏବଂ ଏଥିରେ ବିଭିନ୍ନ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଖଞ୍ଜା ଯିବା ବ୍ୟବସ୍ଥା ରହିଛି। ଭାରତ ମୋଟ ୩୬ଟି ରାଫେଲ୍‌ ହାସଲ କରିବ।

ଭାରତ ଆଗମନ ପରେ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌ ସ୍ବାଗତମ୍‌, ରାଷ୍ଟ୍ର ରକ୍ଷା ସମାନ କୌଣସି ପୁଣ୍ୟ ନାହିଁ
ନୂଆଦିଲ୍ଲୀ: ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସ୍ବାଗତ କରି ଟ୍ବିଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଫେଲ ଅବତରଣର ଏକ ଭିଡିଓ ସହ ସଂସ୍କୃତରେ ଟ୍ବିଟ୍‌ କରି କହିଛନ୍ତି, ରାଷ୍ଟ୍ରର ରକ୍ଷା ସମାନ କୌଣସି ପୁଣ୍ୟ, ବ୍ରତ କିମ୍ବା ଯଜ୍ଞ ନାହିଁ। ସେ ଭାରତୀୟ ବାୟୁସେନାର ଆଦର୍ଶ ବାକ୍ୟ ‘ନଭ: ସଦୃଶଂ ଦୀପ୍ତମ୍‌’ ସହିତ ସ୍ବାଗତମ୍‌ ଲେଖିଥିଲେ। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଫେଲ ଭାରତ ଆସିବା ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ‘ରାଫେଲର ଅବତରଣ ଆମର ଶକ୍ତିଶାଳୀ ବାୟୁସେନା ପାଇଁ ଐତିହାସିକ ଦିନ ଏବଂ ଭାରତ ପାଇଁ ଏହା ଗର୍ବର ମୁହୂର୍ତ୍ତ’ ବୋଲି ସେ ଟ୍ବିଟ୍‌ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ଯୁଦ୍ଧ ବିମାନ ପହଞ୍ଚିବା ପରେ ଟ୍ବିଟ୍‌ କରି କହିଛନ୍ତି, ଏବେ ଆମର ଶତ୍ରୁଙ୍କୁ ଚିନ୍ତା ହେବା ଉଚିତ। ରାଫେଲ ଚୁ୍କ୍ତିର ସଫଳ ସଂପାଦନ ପାଇଁ ରାଜନାଥ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର