ଶୁଣାଣି ଟାଳିବାକୁ କେନ୍ଦ୍ରର ପିଟିସନ୍‌

ରାଫେଲ୍‌ ମାମଲା

ନୂଆଦିଲ୍ଲୀ: ରାଫେଲ୍‌ ମାମଲାର ସମୀକ୍ଷା ଆବେଦନର ଶୁଣାଣି ମଙ୍ଗଳବାର ଦିନ ହେବ। କେନ୍ଦ୍ର ସରକାର ଏଥି ପାଇଁ ଅଧିକ ସମୟ ମାଗି ଶୁଣାଣି ସ୍ଥଗିତ ରଖିବା ପାଇଁ ନିଦେବନ କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଉପରେ ପ୍ରତିକ୍ରିୟା ରଖି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, କୋର୍ଟ ସହ ଚୋର ପୁଲିସ୍‌ର ଖେଳ ବନ୍ଦ ହେବା ଆବଶ୍ୟକ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ୍‌ ଆର୍‌ ବାଲସୁବ୍ରମଣ୍ୟମ୍‌ ଏହି ସମୀକ୍ଷା ଆବେଦନର ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ସୋମବାର ନିବେଦନ କରିଥିଲେ। ସରକାରଙ୍କ ପକ୍ଷରୁ ଅଧିକ ସମୟ ମାଗିବା ସହ ଶୁଣାଣି ସ୍ଥଗିତ ରଖିବା ପାଇଁ ଆବେଦନର ଚିଠିକୁ ସମସ୍ତଙ୍କୁ ବାଣ୍ଟିବାକୁ ଅନୁମତି ମାଗିଥିଲେ। ସ୍ଥଗିତ ଆବେଦନ ଉପରେ ସୁପ୍ରିମ କୋର୍ଟ କୌଣସି ନିର୍ଦେଶ ଦେଇନଥିଲେ ମଧ୍ୟ ଉକ୍ତ ଚିଠିକୁ ମଙ୍ଗଳବାର ଶୁଣାଣି ବେଳେ ସମସ୍ତ ପକ୍ଷଙ୍କ ମଧ୍ୟରେ ବାଣ୍ଟିବାକୁ ଅନୁମତି ଦେଇଛନ୍ତି।

ସ୍ମରଣଯୋଗ୍ୟ, ପ୍ରଶାନ୍ତ ଭୂଷଣ, ଯଶୋବନ୍ତ ସିହ୍ନା ଏବଂ ଅରୁଣ ସୌରୀଙ୍କ ଦ୍ୱାରା କୋର୍ଟର ଡିସେମ୍ବର ରାୟ ଉପରେ ସମୀକ୍ଷା କରିବାକୁ ଆବେଦନ କରାଯାଇଥିଲା। ଡିସେମ୍ବର ରାୟରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ରାଫେଲ ମାମଲାରେ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଆବେଦନକାରୀମାନେ ଏକ ନିର୍ଦିଷ୍ଟ ଖବରକାଗଜରେ ପ୍ରକାଶ ହୋଇଥିବା କିଛି ତଥ୍ୟକୁ ପ୍ରମାଣ ଭାବେ ଉପସ୍ଥାପନ କରି ଉକ୍ତ ମାମଲାର ପୁନସମୀକ୍ଷା ପାଇଁ ଆବେଦନ କରିଥିଲେ। ସୁପ୍ରିମ କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ଏହି ଆବେଦନ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଅଗ୍ରହ୍ୟ କରିଦେଇଥିଲେ ଏବଂ ପରବର୍ତ୍ତୀ ଶୁଣାଣି କରିବାକୁ ସ୍ଥିର କରିଥିଲେ।

ସମ୍ବନ୍ଧିତ ଖବର