ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିବାକୁ ଯାଉଥିବା ଫ୍ରାନ୍ସ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ ଆସନ୍ତାକାଲି ଆସି ଭାରତରେ ପହଂଚିବ। ବିମାନଗୁଡ଼ିକ ଅମ୍ବାଲା ବିମାନଘାଟିରେ ଅବତରଣ କରିବ ଏବଂ ଏଥିପାଇଁ ଏହି ଅଞ୍ଚଳେର ୧୪୪ ଧାରା ଜାରି କରାଯାଇଛି। ଏହି ୫ଟି ଲଢ଼ୁଆ ବିମାନ ଗତକାଲି ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଛି। ୭ ହଜାର କିଲୋମିଟର ଦୂର ଅତିକ୍ରମ କରିବା ପରେ ଏହା କାଲି ଅପରାହ୍ନରେ ବାୟୁସେନାର ଅମ୍ବାଲା ବିମାନଘାଟିରେ ଅବତରଣ କରିବ। ରାଫେଲ ଫ୍ରାନ୍ସ ଛାଡ଼ିବା ପରେ ୩୦ ହଜାର ଫୁଟ୍ ଉଚ୍ଚରେ ସମସ୍ତ ୫ଟି ଲଢ଼ୁଆ ବିମାନରେ ଫ୍ରାନ୍ସ ଟ୍ୟାଙ୍କର ଦ୍ବାରା ଇନ୍ଧନ ଭର୍ତି କରାଯାଇଥିଲା। ରାଫେଲକୁ ଭାରତରେ ପହଂଚାଇବା ଲାଗି ଫ୍ରାନ୍ସ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ଭାରତ ସରକାର କୃତଜ୍ଞତା ଜଣାଇଛନ୍ତି।
ଭାରତୀୟ ବାୟୁସେନା ଉଡ଼ନ୍ତା ବିମାନରେ ଇନ୍ଧନ ଭରାଯାଉଥିବାର ଫଟୋ ଆଜି ଟ୍ବିଟ୍ କରିଛି। ରାଫେଲ ଫାଇଟର ଜେଟ୍ ଘଣ୍ଟା ପ୍ରତି ୧୩୮୯ କିମି ବେଗରେ ଉଡ଼ାଣ କରିପାରିବ। ତେବେ ଲମ୍ବା ଉଡ଼ାଣରେ ଆସିଥିବା ଏହି ବିମାନଗୁଡ଼ିକ ପାଇଁ ୟୁଏଇରେ ଗୋଟିଏ ବିରତି ରଖାଯାଇଥିଲା। ଗତକାଲି ସନ୍ଧ୍ୟା ବେଳେ ଏହି ବିମାନଗୁଡ଼ିକୁ ୟୁଏଇରେ ଅବତରଣ କରିଥିଲେ। ୫ଟି ରାଫେଲ ବିମାନ ମଧ୍ୟରୁ ତିନିଟି ଗୋଟିଏ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଆଉ ଅନ୍ୟ ଦୁଇଟିରେ ଦୁଇଟି ଲେଖାଏଁ ସିଟ୍ ରହିଛି। ଏଭଳି ୩୬ଟି ରାଫେଲ ବିମାନ କିଣିବା ଲାଗି ଭାରତ ସରକାର ୨୦୧୬ରେ ଫ୍ରାନ୍ସ ସହିତ ୫୯ ହଜାର କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷରିତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ଟି ରାେଫଲ ଜେଟ୍ ହସ୍ତାନ୍ତର କରାଯାଇଛି।
ରାଫେଲ ଜେଟ୍ ଗୁଡ଼ିକୁ ଚୀନ ସହିତ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ପୂର୍ବ ଲଦାଖରେ ଚୀନ ସହିତ ଭାରତ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ରାଫେଲ ଜେଟ୍ ଭାରତୀୟ ସେନାର ଆକ୍ରମଣ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେବ। ଆସନ୍ତାକାଲି ଅମ୍ବାଲା ବାୟୁସେନା ଘାଟିରେ ସମସ୍ତ ବିମାନ ଅବତରଣ କରିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ଏବଂ ଆଖପାଖ ଅଂଚଳରେ ଧାରା ୧୪୪ ଲାଗୁ କରାଯାଇଛି। ସପ୍ତାହକ ମଧ୍ୟରେ ଏହି ବିମାନକୁ ମିସନ୍ ପାଇଁ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/rafale_660.jpg)