ନୂଆଦିଲ୍ଲୀ: ଭାରତ ଆମଦାନି କରୁଥିବା ୩୬ଟି ଫ୍ରାନ୍ସ ନିର୍ମିତ ଯୁଦ୍ଧବିମାନ ରାଫେଲ୍ ମଧ୍ୟରୁ ପ୍ରଥମ ଦଫାରେ ବୁଧବାର ୫ଟି ବିମାନ ଆସି ଭାରତରେ ପହଞ୍ଚିବ। ତେବେ ଏହି ବିମାନଗୁଡ଼ିକର ଆମଦାନି ସମୟ ସେତେ ଚର୍ଚ୍ଚାର ବିଷୟ ହୋଇନଥାନ୍ତା ଯଦି ନିକଟରେ ଚୀନ୍ ସହ ସୀମାରେ ଭାରତୀୟ ସେନା ଏକାଧିକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ସାମନା କରିନଥାନ୍ତା। ଏଣେ ଚୀନ୍ର ଆକ୍ରମଣାତ୍ମକ ମନୋଭାବ ପରିପ୍ରେକ୍ଷୀରେ ଭାରତର ଅନ୍ୟତମ ପଡ଼ୋଶୀ ଶତ୍ରୁ ପାକିସ୍ତାନ ମଧ୍ୟ କିଛି ଅଘଟଣ ରଚାଇବାକୁ ଉତ୍ସାହିତ ହୋଇପଡ଼ିବା କିଛି ଅସମ୍ଭବ ନୁହେଁ। ସୁତରାଂ ଏଭଳି ଦୁଇ ଦୁଇଟି ପ୍ରତିପକ୍ଷରୁ ବିରୋଧର ସାମନା କରିବାକୁ ଥିବା ଭାରତ ପାଇଁ ଏହି ରାଫେଲ ବିମାନ କେତେ ସମୟୋପଯୋଗୀ ତଥା ପାରଙ୍ଗମ ତାହା ହିଁ ସାମରିକ ବିଶେଷଜ୍ଞମାନଙ୍କୁ ରୋଚକ ଚର୍ଚ୍ଚା ଯୋଗାଇଦେଇଛି।
ଫ୍ରାନ୍ସର ଡାସଲ୍ଟ କମ୍ପାନି ଦ୍ବାରା ନିର୍ମିତ ଏହି ବିମାନ ଭାରତୀୟ ବାୟୁସେନାକୁ ଯଥେଷ୍ଟ ଶକ୍ତିଶାଳୀ କରିବା ସଙ୍ଗେସଙ୍ଗେ ଉଭୟ ଚୀନୀ ଧମକକୁ ପ୍ରତିହତ କରିବା ସହ ପାକିସ୍ତାନର ମଧ୍ୟ ସମ୍ଭାବ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଜବାବ ଦେଇପାରିବ ବୋଲି ଅନେକଙ୍କର ମତ। ସେହିପରି ପାକିସ୍ତାନ ପାଖରେ ଥିବା ଅତ୍ୟୁତ୍ତମ ରାଡାର ଖଚିଚ ରୁଷିଆ ନିର୍ମିତ ଏଫ୍-୧୬ ବିମାନ ଓ ଚୀନ୍ ନିର୍ମିତ ଅତ୍ୟାଧୁନିକ ଜେଏଫ୍-୧୭ ବିମାନ ତୁଳନାରେ ଭାରତୀୟ ବାୟୁସେନା ଯେଉଁ ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ପଛରେ ପଡ଼ିଯାଇଥିଲା, ରାଫେଲ୍ ତାହା ଭରଣା କରିପାରିବ। ସମ୍ପ୍ରତି ପାକିସ୍ତାନ ବ୍ୟବହାର କରୁଥିବା ଏହି ଜେଏଫ୍-୧୭ ଏବଂ ଚୀନ୍ ବ୍ୟବହାର କରୁଥିବା ଚେଙ୍ଗଡୁ ଜେ-୨୦ ଉଭୟ ହେଉଛନ୍ତି ରାତି/ଦିନ ବହୁବିଧ କାର୍ଯ୍ୟସମ୍ବଳିତ ସକ୍ରିୟ ବିମାନ। ଉଭୟ ଆକାଶମାର୍ଗରେ ଆକ୍ରମଣ ସହିତ ଭୂପୃଷ୍ଠ ଆକ୍ରମଣ, ଟିକିନିଖି ପର୍ଯ୍ୟବେକ୍ଷଣ, ଶତ୍ରୁପକ୍ଷର ଗତିରୋଧ, ଆକାଶ ସୁରକ୍ଷାର ପ୍ରତିରୋଧ, ବିମାନ ବିଧ୍ବଂସୀ ଆକ୍ରମଣ ଏବଂ ଆଣବିକ ଅସ୍ତ୍ରକୁ ନିଷ୍କ୍ରିୟ କରିବାର କ୍ଷମତା ରଖିଛନ୍ତି। ଅପରପକ୍ଷେ, ଜେଏଫ୍-୧୭ ଚତୁର୍ଥ ପିଢ଼ି ଏବଂ ଜେ-୨୦ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଭାବେ ପରିଗଣିତ ହେଉଥିବା ବେଳେ ରାଫେଲ ଚତୁର୍ଥ ଓ ପଞ୍ଚମ ପିଢ଼ିର ମଧ୍ୟବର୍ତ୍ତୀ ବିମାନ ଭାବେ ଧରାଯାଉଛି। ତେବେ ଏହା ଯେ କୌଣସି ପ୍ରକାର ସାମରିକ ଅଭିଯାନକୁ ସୁଚାରୁରୂପେ ତୁଲାଇବାର ଦକ୍ଷତା ରଖିଥିବା ଡାସଲ୍ଟ କମ୍ପାନି ଦାବି କରିଛି।
/sambad/media/post_attachments/wp-content/uploads/2020/07/rafale_660.jpg)
ଏପରିକି ଏହା ପ୍ରଥମେ ଫ୍ରାନ୍ସର ବାୟୁସେନା ଓ ନୌସେନାରେ ସାମିଲ ହେଲା ବେଳେ ପୂର୍ବରୁ ଥିବା ସାତ ପ୍ରକାର ବିମାନକୁ ହଟାଇ ଦିଆଯାଇଥିଲା ବୋଲି କମ୍ପାନି କହିଛି। ରାଫେଲ ଓ ଜେଏଫ୍-୧୭ ଉଭୟ ଏକ ଆସନ କିମ୍ବା ଦୁଇ ଆସନ ବିଶିଷ୍ଟ ହୋଇଥିବା ବେଳେ ଜେ-୨୦ କେବଳ ଏକଆସନ ବିଶିଷ୍ଟ। ତେବେ ଡାସଲ୍ଟ ସହ ଚୁକ୍ତି ମୁତାବକ ଭାରତ ୨୮ଟି ଏକ ଆସନ ବିଶିଷ୍ଟ ଓ ୮ଟି ଦୁଇ ଆସନ ବିଶିଷ୍ଟ ରାଫେଲ ଆମଦାନି କରିବ। ଏହି ତିନି ବିମାନ ଭିତରୁ ଜେ-୨୦ ସବୁଠୁ ଭାରୀ। ଏହାର ଫାଙ୍କା ଓଜନ ୧୯ କ୍ବିଣ୍ଟାଲ ହେବା ସହ ଏହାର ଉଡ଼ାଣ ଓଜନ କ୍ଷମତା ୩୭ କ୍ବିଣ୍ଟାଲ ରହିଛି। ସେହିପରି ରାଫେଲର ଫାଙ୍କା ଓଜନ ୯.୯ କ୍ବିଣ୍ଟାଲରୁ ୧୦.୬ କ୍ବିଣ୍ଟାଲ ଭିତରେ ରହିଥିବା ବେଳେ ଏହାର ସର୍ବାଧିକ ଉଡ଼ାଣ ଓଜନ କ୍ଷମତା ୨୪.୫ କ୍ବିଣ୍ଟାଲ ରହିଛି। ଅପରପକ୍ଷେ, ଜେଏଫ୍-୧୭ର ଫାଙ୍କା ଓଜନ ୬.୪ କ୍ବିଣ୍ଟାଲ ଓ ଉଡ଼ାଣ ଓଜନ ୧୨.୫ କ୍ବିଣ୍ଟାଲ ରହିଛି। ସୁତରାଂ ଜେଏଫ୍-୧୭ ତୁଳନାରେ ରାଫେଲ ଓ ଜେ-୨୦ ଉଭୟ ଅଧିକ ଜାଳେଣି ଓ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛନ୍ତି। ସେହିପରି ଅନ୍ୟ ଦୁଇ ବିମାନ ତୁଳନାରେ ରାଫେଲ ସବୁଠୁ ସରୁଆ। ଏହାର ଲମ୍ବ ୧୫.୩ ମିଟର ଓ ପ୍ରତି ଡେଣାର ଲମ୍ବ ୧୦.୯ ମିଟର ଓ ଉଚ୍ଚତା ୫.୩ ମିଟର ରହିଥିବା ବେଳେ ଜେ-୨୦ର ଦୈର୍ଘ୍ୟ ୨୦.୩ ମି. ଏବଂ ଡେଣା ୧୨.୮୮ ମି. ରହିଛି। ଅତି ଉଚ୍ଚକୋଣୀୟ ଆକ୍ରମଣ ପାଇଁ ରାଫେଲର ଡେଣାଗୁଡ଼ିକୁ ସ୍ବତନ୍ତ୍ର ଶୈଳୀରେ ନିର୍ମାଣ କରାଯାଇଥିବା ଡାସଲ୍ଟ କହିଛି। ସେହିପରି ରାଫେଲ୍ ଘଣ୍ଟାକୁ ସର୍ବାଧିକ ୨୨୨୨.୬ କିମି ବେଗରେ ଉଡ଼ିପାରୁଥିବା ବେଳେ ଜେ-୨୦ର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୪୦୦ କିମି ଏବଂ ଜେଏଫ୍-୧୭ର ବେଗ ୧୯୭୫.୬୮ କିମି ପ୍ରତି ଘଣ୍ଟା ରହିଛି। ଆକ୍ରମଣ ବେଳେ ରାଫେଲ ୫୪ ହଜାର ଫୁଟକୁ ଉଠିପାରୁଥିବା ବେଳେ ଜେଏଫ୍-୧୭ ୫୪ ହଜାର ଫୁଟ ଏବଂ ସବୁଠୁ ଦକ୍ଷ ଜେ-୨୦ ୬୫ ହଜାର ୬୨୦ ଫୁଟ ଉଚ୍ଚକୁ ଉଠିପାରିବ। ତେବେ ଉଚ୍ଚକୁ ଦ୍ରୁତ ଉଠିବାରେ ରାଫେଲ ଆଗୁଆ। ଏହା ମିନିଟ୍କୁ ୬୦ ହଜାର ଫୁଟ ହାରରେ ଉପରକୁ ଉଠି ପାରୁଥିବା ବେଳେ ଜେ-୨୦ ମିନିଟ୍କୁ ୫୯୮୪୨ ଫୁଟ ଓ ଜେଏଫ୍-୧୭ ୫୯ ହଜାର ଫୁଟ ହାରରେ ଉଠିପାରିବ। ତେବେ ସେମାନଙ୍କର ଆକ୍ରମଣ ପରିସର ଦୃଷ୍ଟିରୁ ମଧ୍ୟ ରାଫେଲ ହିଁ ସବୁଠୁ ଶ୍ରେଷ୍ଠ ବିବେଚିତ। କାରଣ ଥରେ ଜାଳେଣି ଭର୍ତ୍ତି ହେଲେ ରାଫେଲ ୩୭୦୦ କିମି ଯାଏ ଗତି କରିପାରିବ। ଏପରିକି ମଧ୍ୟଆକାଶରେ ଜାଳେଣି ଭର୍ତ୍ତିହୋଇପାରିଲେ ସେହି ଅନୁସାରେ ତାହା ଅଧିକ ପଥ ଅତିକ୍ରମ କରିପାରିବ।