ରାଫେଲ ଅଡିଟ୍‌ ରିପୋର୍ଟ ଦେବାକୁ ମନାକଲେ ସିଏଜି

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତି ସଂକ୍ରାନ୍ତ ଅଡିଟ୍‌ ରିପୋର୍ଟ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ (ସିଏଜି) କହିଛନ୍ତି। ଏ ବାବଦରେ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯିବା ପ୍ରସଙ୍ଗରେ ସିଏଜି କହିଛନ୍ତି ଯେ ଏବେ ବି ରାଫେଲର ହିସାବ କିତାବ ପ୍ରକ୍ରିୟା ଜାରି ରହିଛି। ଏଭଳି ସ୍ଥିତିରେ ବିଦେଶୀ ରାଷ୍ଟ୍ର ସହ ହୋଇଥିବା ଯୁଦ୍ଧ ବିମାନ ଚୁକ୍ତିର ଅଡିଟ ରିପୋର୍ଟ ସାର୍ବଜନୀନ କରିହେବନାହିଁ। ଏଭଳି ହେଲେ ‌ଏହା ସଂସଦର ନୀତି ବିରୋଧୀ ହେବ ବୋଲି ସିଏଜି କହିଛନ୍ତି।
ପୁନେର ଜଣେ ସୂଚନା ଅଧିକାର କର୍ମୀ ବିହାର ଦୁବେଙ୍କ ଆବେଦନ ଉପରେ ସିଏଜି ଆଜି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଏବଂ ରିପୋର୍ଟ ଚୂଡ଼ାନ୍ତ ହୋଇନାହିଁ ବୋଲି କହିଛନ୍ତି। ତେଣୁ ଆର୍‌ଟିଆଇର ଧାରା ୮(୧) ସି ମାଧ୍ୟମରେ ଏହି ତଥ୍ୟ ପ୍ରଦାନ କରାଯିବ ନାହିଁ ବୋଲି ଆବେଦନକାରୀଙ୍କୁ ଜଣାଇ ଦିଆଯାଇଛି। ଫ୍ରାନ୍‌ସଠାରୁ ୩୬ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିକୁ ଚ୍ୟାଲେଂଜ କରି ଏକାଧିକ ମାମଲା ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିଲା ଏବଂ କୋର୍ଟ ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତି। ରାଫେଲ ଚୁକ୍ତିକୁ ନେଇ ସନ୍ଦେହର କୌଣସି କାରଣ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ। ରାଫେଲ ଚୁକ୍ତିର ତଦନ୍ତ ନିର୍ଦ୍ଦେଶ ଦେବାପାଇଁ ଏକାଧିକ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏହାର କୌଣସି ଆବଶ୍ୟକ ନାହିଁ ବୋଲି କୋର୍ଟ କହିଥିଲେ। ସୁପ୍ରିମ୍‌ କୋର୍ଟ ରାୟ ପରେ କଂଗ୍ରେସ କହିଥିଲା ଯେ ପିଏସି ସମ୍ମୁଖରେ ସିଏଜିଙ୍କ କୌଣସି ରିପୋର୍ଟ ଉପସ୍ଥାପନ ହୋଇନାହିଁ ଏବଂ ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଭୁଲ୍‌ ତଥ୍ୟ ଦେଇଛନ୍ତି। ତେବେ ବିଜେପି ଏହାକୁ ଖଣ୍ଡନ କରିଥିଲା ଏବଂ କେବଳ କୋର୍ଟ ରାୟରେ କେତେକ ତଥ୍ୟାତ୍ମକ ଭୁଲ୍‌ ଥିବା ଦର୍ଶାଇଥିଲା। ଏଥିରେ ସଂଶୋଧନ ଆଣିବାକୁ ସରକାର ସୁପ୍ରିମ୍‌ କୋର୍ଟରେ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର