ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଆଜି ସଂସଦରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ବୀରାପ୍ପା ମୋଇଲି, କେ ଭି ଥମାସ୍, ଜ୍ୟୋତିରାଦିତ୍ୟ ସିନ୍ଦିଆ ଏବଂ ରାଜୀବ ସତବ୍ଙ୍କ ଦ୍ୱାରା ଏହି ନୋଟିସ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ଏହି ନୋଟିସ୍ ଆଗତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ଚଳିତମାସ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଲୋକସଭାରେ ରାଫେଲ୍ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ବାବଦରେ ଗୃହକୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିଲେ। ଏଭଳି କରି ସେମାନେ ଗୃହକୁ ଭୁଅାଁ ବୁଲାଇଥିଲେ। ବିତର୍କ ବେଳେ ଉଭୟ ବାରମ୍ବାର ଗୃହକୁ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା କଂଗ୍ରେସ ଦର୍ଶାଇଛି। ତେଣୁ ସେମାନଙ୍କ ବିରୋଧରେ ଦଳର ଏହି ସ୍ୱାଧିକାର ଭଙ୍ଗ ନୋଟିସ୍କୁ ଗ୍ରହଣ କରିବା ସହ ଏହାକୁ ସ୍ୱାଧିକାର କମିଟି ନିକଟକୁ ତୁରନ୍ତ ପଠାଇବା ପାଇଁ ଦଳ ଅନୁରୋଧ କରିଛି।
ନୋଟିସ୍ରେ କଂଗ୍ରେସ ଆହୁରି ଦର୍ଶାଇଛି ଯେ ଲୋକସଭାରେ ୨୦୧୬ ନଭେମ୍ବର ୧୮ରେ ଏବଂ ରାଜ୍ୟସଭାରେ ୨୦୧୮ ମାର୍ଚ୍ଚ ୧୯ରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ରାଫେଲ୍ ଚୁକ୍ତି ବାବଦରେ ଯେଉଁ ସୂଚନା ଦେଇଥିଲେ, ତାହା ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି ସହ ମେଳ ଖାଉନାହିଁ। ଉଭୟ ଜାଣିଶୁଣି ଗୃହକୁ ଅନ୍ଧାରରେ ରଖିବାକୁ ଚେଷ୍ଟା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ସହ ହୋଇଥିବା ଚୁକ୍ତି ମୁତାବକ ରାଫେଲ୍ ଚୁକ୍ତିର ମୂଲ୍ୟ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ। କିନ୍ତୁ ଫ୍ରାନ୍ସ ସରକାରଙ୍କ ସହିତ ସେଭଳି କିଛି ସର୍ତ୍ତ ରଖାଯାଇ ଚୁକ୍ତି ହୋଇନାହିଁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷରେ ଜୁଲାଇ ୨୦ରେ ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ରାଫେଲ୍ ଚୁକ୍ତି ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। କିନ୍ତୁ ତାଙ୍କ ଯୁକ୍ତିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଦର୍ଶାଇ ବିଜେପି ପକ୍ଷରୁ ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରାଯାଇଥିଲା। ଏହାର ୪ ଦିନ ପରେ କଂଗ୍ରେସ ପକ୍ଷରୁ ପାଲ୍ଟା ପ୍ରହର ସ୍ୱରୂପ ଅନୁରୂପ ପ୍ରସ୍ତାବ ଆଗତ ହୋଇଛି।
ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି:ମୋଦି, ନିର୍ମଳାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍
/sambad/media/post_attachments/wp-content/uploads/2018/07/1-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)