ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ସବୁବେଳେ ମୋଦୀ ସରକାରଙ୍କୁ ସମାଲୋଚନା କରିଆସୁଥିବା କଂଗ୍ରେସ ଆଜି ବାୟୁସେନା ମୁଖ୍ୟଙ୍କୁ ତୀବ୍ର ଭର୍ତ୍ସନା କରିବା ସହ ତାଙ୍କୁ ମିଛୁଆ ବୋଲି କହିଛି। ଦଳର ବରିଷ୍ଠ ନେତା ବୀରାପ୍ପା ମୋଇଲି କହିଛନ୍ତି, ବାୟୁସେନା ମୁଖ୍ୟ ବି ଏସ୍ ଧନୋଆ ରାଫେଲ୍ ଚୁକ୍ତିକୁ ନେଇ ମିଛ କହୁଛନ୍ତି। ଜାଣିଶୁଣି ସେ ସତକୁ ଚାପିଦେଉଛନ୍ତି।
ମୋଇଲି କହିଛନ୍ତି, ସରକାରୀ ରେକର୍ଡରେ ରହିଥିବା ତଥ୍ୟ ଅନୁସାରେ ରାଫେଲ୍ ଚୁକ୍ତିରେ ରାଷ୍ଟ୍ରାୟତ୍ତ ହାଲ୍କୁ ସାମିଲ କରିବା ସପକ୍ଷରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ବାୟୁସେନା ମୁଖ୍ୟ ଧନୋଆ ଥିଲେ। ଏଥିପାଇଁ ଧନୋଆ ରାଫେଲ୍ ବିମାନ ନିର୍ମାତା ଡାସଲ୍ଟ ଏଭିଏସନ୍ ପ୍ରତିନିଧିଙ୍କ ସହ ହାଲ୍ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଚୁକ୍ତି ପାଇଁ ହାଲ୍ ଉପଯୁକ୍ତ ବୋଲି ସେତେବେଳେ ସେ ସ୍ପଷ୍ଟ କରିଥିଲେ। କିନ୍ତୁ ଏବେ ସୁପ୍ରିମ୍ କୋର୍ଟଙ୍କ ରାୟକୁ ସେ ଗ୍ରହଣ କରିବା ସହ ଏହାକୁ ପ୍ରଶଂସା କରୁଛନ୍ତି ବୋଲି ମୋଇଲି ଦର୍ଶାଇଛନ୍ତି। ମୋଇଲି ଆହୁରି କହିଛନ୍ତି ଯେ ଧନୋଆଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ଭଳି ଲାଗୁଛି। ସେ କ’ଣ ପାଇଁ ମିଛ କହୁଛନ୍ତି, ତାହା ବୁଝାପଡୁ ନାହିଁ। ସେ ସତ୍ୟକୁ ଚପାଇବାକୁ ଉଦ୍ୟମ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ରାଫେଲ୍ ଚୁକ୍ତିରେ ମୋଦୀ ସରକାର ହାଲ୍କୁ ଅଣଦେଖା କରି ଶିଳ୍ପପତି ଅନୀଲ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଡିଫେନ୍ସକୁ ଡାସଲ୍ଟ ଏଭିଏସନ୍ର ଅଫ୍ସେଟ୍ ପାର୍ଟନର୍ କରାଇଥିବା କଂଗ୍ରେସ ଅଭିଯୋଗ କରିଆସୁଛି। ଏମିତି କି ଏଭଳି କରି ମୋଦୀ ସରକାର ଅନୀଲ୍ ଅମ୍ବାନିଙ୍କୁ ହଜାର ହଜାର କୋଟି ଟଙ୍କାର ଫାଇଦା ପହଞ୍ଚାଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହୁଛନ୍ତି। ୩୬ ରାଫେଲ୍ ଯୁଦ୍ଧ ବିମାନ କିଣିବାରେ ସରକାର ଅନେକ ଅନିୟମିତତା କରିଥିବା ଦଳ ପକ୍ଷରୁ କୁହାଯାଉଛି।
ମୋଇଲିଙ୍କ ପକ୍ଷରୁ ଏଭଳି ମନ୍ତବ୍ୟ ପ୍ରକାଶ ପାଇବା ପରେ ବିଜେପି ସାଂସଦ ସୁବ୍ରମଣ୍ୟନ୍ ସ୍ବାମୀ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୋଇଲି କେବଳ ବାୟୁସେନା ମୁଖ୍ୟଙ୍କୁ ଅପମାନିତ କରିନାହାନ୍ତି, ସମଗ୍ର ରାଷ୍ଟ୍ରକୁ ସେ ଅପମାନିତ କରିଛନ୍ତି। ଏଥିପାଇଁ ସେ ରାଷ୍ଟ୍ରକୁ କ୍ଷମା ମାଗିବା ଉଚିତ ବୋଲି ସୁବ୍ରମଣ୍ୟନ୍ କହିଛନ୍ତି। ରାଫେଲ୍ ଚୁକ୍ତି ମାମଲାରେ ସୁପ୍ରିମ୍ କୋର୍ଟ ମୋଦୀ ସରକାରଙ୍କୁ କ୍ଲିନ୍ଚିଟ୍ ଦେବା ସହ ତଦନ୍ତର ପ୍ରୟୋଜନ ନାହିଁ ବୋଲି କହିଥିଲେ। ଏହି ରାୟକୁ ବାୟୁସେନା ମୁଖ୍ୟ ଧନୋଆ ସ୍ବାଗତ କରିଥିଲେ।
ରାଫେଲ୍ ଚୁକ୍ତି ମାମଲା:ବାୟୁସେନା ମୁଖ୍ୟ ମିଛ କହୁଛନ୍ତି: କଂଗ୍ରେସ
କ୍ଷମା ମାଗନ୍ତୁ ମୋଇଲି: ସୁବ୍ରମଣ୍ୟନ୍
/sambad/media/post_attachments/wp-content/uploads/2018/12/Dassault-Rafale-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)