ରାଫେଲ ବିବାଦ:ରବର୍ଟ ଭଦ୍ରା ଜେଲ୍‌ ଯିବେ: ବିଜେପି

ଭଣ୍ଡାରୀଙ୍କ ଘରୁ ମିଳିଛି ଗୋପନୀୟ ଦସ୍ତାବିଜ:ରାହୁଲ ଗାନ୍ଧୀ ଦାୟିତ୍ୱହୀନ ଓ ମିଥ୍ୟାବାଦୀ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଲାଗି ରହିଥିବା ବିବାଦ ଆଜି ନୂଆ ମୋଡ଼ ନେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଯେ ୟୁପିଏ ସମୟରେ ରାଫେଲ ଚୁକ୍ତି କେଉଁ ପରିସ୍ଥିତିରେ ଓ କାହିଁକି ରଦ୍ଦ ହୋଇଥିଲା ସେ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଯୁଦ୍ଧ ବିମାନ କ୍ରୟରେ ମୋଟା ଅଙ୍କର ଲାଞ୍ଚ ଚାହୁଥିବା କଂଗ୍ରେସକୁ ଏହା ନ ମିଳିବାରୁ ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସାକାର ହେବାକୁ ଦିଆଯାଇ ନଥିଲା। ସୋନିଆ ଗାନ୍ଧୀଙ୍କ ଜାମାତା ରବର୍ଟ ଭଦ୍ରାଙ୍କ ଘନିଷ୍ଠ ବନ୍ଧୁ ତଥା ଅସ୍ତ୍ର ବେପାରୀ ସଂଜୟ ଭଣ୍ଡାରୀଙ୍କ ଘରେ ଚଢ଼ଉ ବେଳେ ସେଠାରୁ ରାଫେଲ ଚୁକ୍ତି ସଂପର୍କିତ ଗୋପନୀୟ ଦସ୍ତାବିଜ ମିଳିଥିଲା। ଏହି ମାମଲାରେ ରବର୍ଟ ଭଦ୍ରା ମଧ୍ୟ ଜେଲ୍‌ ଯିବେ ବୋଲି ବିଜେପି ପ୍ରବକ୍ତା କହିଛନ୍ତି। ଏ ବାବଦରେ କେତେକ ଦସ୍ତାବିଜ ଦେଖାଇ ସମ୍ବିତ କହିଥିଲେ ଯେ ସଂଜୟଙ୍କ ମାଧ୍ୟମରେ ଭଦ୍ରାଙ୍କୁ ଲଣ୍ଡନରେ ୧୯ କୋଟି ଟଙ୍କାର ଏକ ଘର ଏବଂ ବିଭିନ୍ନ ରାଷ୍ଟ୍ର ଗସ୍ତ ପାଇଁ ବିମାନ ଟିକଟ ପ୍ରଦାନ କରାଯାଇଥିଲା। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ରାଫେଲ କାରବାରରୁ ଫାଇଦା ଉଠାଇବାକୁ ପ୍ରୟାସ କରି ଦେଶର ସୁରକ୍ଷା ସହିତ ଖେଳିଥିଲେ। କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଏ ଦିଗରେ ସମୁଚିତ ପଦକ୍ଷେପ ଗ୍ରହଣ କରି ଚୁକ୍ତି ସଂପନ୍ନ କରିଥିଲେ। ୨୦୧୬ରେ ସଂଜୟ ଭଣ୍ଡାରୀଙ୍କ ଘର ଓ ଦପ୍ତରରେ ଚଢ଼ଉ ହୋଇଥିଲା ଏବଂ ଏହି ସମୟରେ ତଦନ୍ତକାରୀ ସଂସ୍ଥା ରାଫେଲର ଗୋପନୀୟ ଦସ୍ତାବିଜ ହାସଲ କରିଥିଲେ ବୋଲି ବିଜେପି ପ୍ରବକ୍ତା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ରାଫେଲ୍‌ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ବୟାନର ଜବାବରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଭାରତର ଇତିହାସରେ କୌଣସି ଜାତୀୟ ଦଳର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏଭଳି ଭାଷା ପ୍ରୟୋଗ କରିନାହାନ୍ତି। କଂଗ୍ରେସ ପାର୍ଟିର ମିଥ୍ୟା ଓ ବିଭ୍ରାନ୍ତି ସଂପର୍କରେ ଲୋକେ ଜାଣିଗଲେଣି ଏବଂ ଏ ସଂପର୍କରେ ଆମେ ସତ୍ୟ ଉପରେ ଅଧିକ ଆଲୋକପାତ କରିବୁ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ଦାୟିତ୍ୱହୀନ ଏବଂ ମିଥ୍ୟାବାଦୀ କଂଗ୍ରେସର ଅଧ୍ୟକ୍ଷ ହେବା ସେହି ଦଳ ପାଇଁ ଲଜ୍ଜାର କାରଣ ବୋଲି ରବିଶଙ୍କର କହିଛନ୍ତି। ରାହୁଲଙ୍କ ପୂରା ପରିବାର ଦୁର୍ନୀତିରେ ବୁଡ଼ି ରହିଥିବାରୁ ତାଙ୍କଠାରୁ କିଛି ଭଲ ଆଶା କରିବା ବୃଥା ବୋଲି ପ୍ରସାଦ କହିଛନ୍ତି।
ମୋଦୀ ଆଖି ମିଳାଇ ପାରୁନାହାନ୍ତି: ରାହୁଲ
ଆମେଠି, ୨୫/୯: ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ଆଣିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଫେଲ ଠିକା ଶିଳ୍ପପତି ଅନୀଲ ଅମ୍ବାନିଙ୍କୁ କାହିଁକି ପ୍ରଦାନ କରାଗଲା, ସେ ସଂପର୍କିତ ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ଦେଇପାରୁ ନାହାନ୍ତି କି ମୋ ସହିତ ଏହି ପ୍ରଶ୍ନର ଜବାବ ଦେବାକୁ ଆଖି ମିଳାଇ ପାରୁନାହାନ୍ତି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଦେଶର ଚୌକିଦାର ବୋଲି ଘୋଷଣା କରିଥିବା ବେଳେ ନିଜ ବନ୍ଧୁ ଅନୀଲ ଅମ୍ବାନିଙ୍କୁ ସେ ଦେଶର ୩୦ ହଜାର କୋଟି ଟଙ୍କା କିଭଳି ଟେକିଦେଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ବିଜୟ ମାଲ୍ୟାଙ୍କ ଭଳି ଅମ୍ବାନି ମଧ୍ୟ ଋଣ ଭାରରେ ବୁଡ଼ି ରହିଛନ୍ତି ଏବଂ ତାଙ୍କ ଉପରେ ୪୫ ହଜାର କୋଟି ଟଙ୍କାର ଋଣ ବକେୟା ରହିଛି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ରାଫେଲ ଚୁକ୍ତି ସଂପର୍କିତ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ନାହାନ୍ତି, ତେଣୁ ସେ ଆଖି ମିଳାଇ ପାରୁନାହାନ୍ତି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ଟଙ୍କା ଚୋରି କରି ଅନୀଲ ଅମ୍ବାନିଙ୍କୁ ଦେଇଥିବାରୁ ସେ ଚୌକିଦାର ହେବା ବଦଳରେ ‘ଚୋର’ ପାଲଟି ଯାଇଛନ୍ତି ବୋଲି ରାହୁଲ କହିଛନ୍ତି। ରାଫେଲ ଚୁକ୍ତିରେ ଦେଶ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ କଂଗ୍ରେସ ଲଢ଼ିବ ଏବଂ ବାୟୁସେନା ଓ ହାଲ୍‌ (ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ)କୁ ନ୍ୟାୟ ପ୍ରଦାନ କରିବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର