ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ସୁପ୍ରିମୋ ଶରଦ ପାୱାରଙ୍କ ଆଭିମୁଖ୍ୟ ଏବେ ଦଳରେ ଝଡ଼ ସୃଷ୍ଟି କରିଛି। ଆଜି ଏକ ବଡ଼ ରାଜନୈତିକ ଘଟଣାକ୍ରମରେ ଏନ୍୍ସିପିର ସାଧାରଣ ସଂପାଦକ ତଥା ବିହାରର କଟିହାରର ସାଂସଦ ତାରିକ ଅନୱର ଦଳ ଛାଡ଼ିଛନ୍ତି। ସେ ଲୋକସଭା ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ଶରଦ ପାୱାର ରାଫେଲ ଯୁଦ୍ଧ ବିମାନ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିବା ଏବଂ ମୋଦିଙ୍କ ଉଦ୍ଦେଶ୍ୟ ନେଇ ଦେଶବାସୀଙ୍କ ମନରେ କୌଣସି ସନ୍ଦେହ ନାହିଁ ବୋଲି ଗତକାଲି ବୟାନ ଦେଇଥିବାରୁ ଏହାକୁ ବିରୋଧ କରି ତାରିକ୍ ଏଭଳି ପଦକ୍ଷେପ ନେଇଛନ୍ତି। ତାରିକ୍ ଏନ୍ସିପିର ଆଗଧାଡ଼ିର ନେତାଙ୍କ ମଧ୍ୟରୁ ଅନ୍ୟତମ ଏବଂ ତାଙ୍କର ଇସ୍ତଫା ଦଳ ପାଇଁ ବଡ଼ ଝଟ୍କା ହୋଇଛି। ତାରିକ୍ ପୂର୍ବରୁ କଂଗ୍ରେସ ଦଳରେ ଥିବାରୁ ସେ କଂଗ୍ରେସରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ବିରୋଧୀ ଦଳଗୁଡ଼ିକ ରାଫେଲ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରାୟାସ ଜାରି ରଖିଥିବା ବେଳେ ମୋଦୀଙ୍କୁ ପାୱାରଙ୍କ ସମର୍ଥନ ବିରୋଧୀ ମେଣ୍ଟ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଦଳ ଭିତରେ ରାଫେଲକୁ ନେଇ ବିବାଦ ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଶରଦ ପାୱାରଙ୍କ ଝିଅ ତଥା ଦଳର ସାଂସଦ ସୁପ୍ରିୟା ସୁଲେ ଆଜି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ି। ରାଫେଲ ଚୁକ୍ତିର ଜେପିସି ତଦନ୍ତ ପାଇଁ ସେ ଦାବି କରିଛନ୍ତି। ତାଙ୍କ ପିତାଙ୍କ ବୟାନକୁ ଭୁଲ ଢଙ୍ଗରେ ପରିବେଷଣ କରାଯାଇଛି ବୋଲି ସେ କହିଛନ୍ତି। ଜେପିସି ତଦନ୍ତକୁ ମୋଦୀ ସରକାର ବିରୋଧ କରିବା ବିସ୍ମୟକର ବୋଲି ସୁପ୍ରିୟା କହିଛନ୍ତି। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ପାୱାରଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ପାୱାର ଦେଇଥିବା ମନ୍ତବ୍ୟ ତର୍କସଂଗତ ବୋଲି ସେ କହିଛନ୍ତି।
ରାଫେଲ୍ ବିବାଦ, ପାୱାର୍ଙ୍କ ବୟାନ ନେଇ ଏନ୍ସିପିରେ ଝଡ଼
ଦଳ ଛାଡ଼ିଲେ ଏନ୍ସିପି ନେତା ତାରିକ୍ ଅନୱର, ଜେପିସି ତଦନ୍ତ ଦାବି କଲେ ସୁପ୍ରିୟା ସୁଲେ
/sambad/media/post_attachments/wp-content/uploads/2018/09/3-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)