ରାଫେଲ୍‌ ପ୍ରଶଂସାରେ ବାୟୁସେନା ଶତମୁଖ

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ଚୁକ୍ତିକୁ ବାତିଲ ନିମନ୍ତେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିବା ବେଳେ ଆଜି ବାୟୁସେନା ଏହି ବିମାନର ଅଭୂତପୂର୍ବ କ୍ଷମତାକୁ ଭୂରି ଭୂରି ପ୍ରଶଂସା କରିଛି। ଏହି ବିମାନ ଦ୍ୱାରା ଶତ୍ରୁ ରାଷ୍ଟ୍ର ଉପରେ ଭାରତ ଭାରି ପଡ଼ିବ ଏବଂ ଯୁଦ୍ଧ ମୁକାବିଲା କ୍ଷେତ୍ରରେ ଦେଶକୁ ପ୍ରଚୁର କ୍ଷମତା ମିଳିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ନିକଟରେ ଫ୍ରାନ୍ସରୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୩ଟି ରାଫେଲ୍‌ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଥିବା ବେଳେ ଫ୍ରାନ୍ସର ଦକ୍ଷ ପାଇଲଟ୍‌ଙ୍କ ଦ୍ୱାରା ବାୟୁସେନା ପାଇଲଟ୍‌ଙ୍କୁ ତାଲିମ ପ୍ରଦାନ କରାଯାଉଛି। ଖୁବ୍‌ଶୀଘ୍ର ସେମାନେ ଏହି ବିମାନ ଉଡ଼ାଣ ଓ ଏହାକୁ ଯୁଦ୍ଧରେ ପରିଚାଳନା କରି କିଭଳି ଶତ୍ରୁ ପକ୍ଷକୁ ମାତ୍‌ ଦେଇହେବ, ତାହାର କୌଶଳ ମଧ୍ୟ ଶିଖିନେବେ।ଭାରତୀୟ ବାୟୁସେନାର ଉପାଧ୍ୟକ୍ଷ ଏୟାର ମାର୍ସଲ୍‌ ଏସ୍‌ ବି ଦେଓ କହିଛନ୍ତି, ରାଫେଲ୍‌ ଚୁକ୍ତିକୁ ନେଇ ବାରମ୍ବାର ଆଲୋଚନା କରୁଥିବା ଲୋକମାନଙ୍କୁ ଏହାର ସାମର୍ଥ୍ୟ ଓ କ୍ରୟ ପ୍ରକ୍ରିୟାକୁ ଭଲ ଭାବେ ବୁଝିବା ଦରକାର। ଏହା ଅତି ସୁନ୍ଦର ତଥା ଘାତକ ଯୁଦ୍ଧ ବିମାନ ଏବଂ ଆମେ ଏହାକୁ ଔପଚାରିକ ଭାବେ ଆକାଶମାର୍ଗରେ ଉଡ଼ାଇବା ପାଇଁ ବେଶ୍‌ ବ୍ୟାକୁଳ। ଏହା ଅତ୍ୟନ୍ତ କ୍ଷମତାଶାଳୀ ଏବଂ ଭାରତୀୟ ବାୟୁସେନାକୁ ଏହିଭଳି ଯୁଦ୍ଧ ବିମାନର ଅତ୍ୟନ୍ତ ଆବଶ୍ୟକତା ରହିଛି। ରାଫେଲ୍‌ ଚୁକ୍ତି ବାବଦ ବିବାଦ ସଂପର୍କିତ ପ୍ରଶ୍ନର ଉତ୍ତରରେ ଦେଓ କହିଛନ୍ତି, ରାଫେଲ୍‌ ଯୁଦ୍ଧ ବିମାନ ଭାରତକୁ ଅଭୂତପୂର୍ବ କ୍ଷମତା ପ୍ରଦାନ କରିବ। ଏହାଦ୍ୱାରା ବାୟୁସେନାର ମନୋବଳ ଦୃଢ଼ ହେବ। ଅଧିକ ରାଫେଲ୍‌ ବିମାନ ଅଣାଯିବା ସପକ୍ଷରେ ମଧ୍ୟ ସେ ସଂକେତ ଦେଇଛନ୍ତି।

ମୁକାବିଲା ପାଇଁ ଅଭୂତପୂର୍ବ କ୍ଷମତା ଦେବ
ଚୁକ୍ତି ବାତିଲ ଲାଗି ସୁପ୍ରିମ୍‌କୋର୍ଟରେ ଆବେଦନ
ଆସନ୍ତା ସପ୍ତାହରେ ହେବ ଶୁଣାଣି

ଉଲ୍ଲେଖଯୋଗ୍ୟ, ଫ୍ରାନ୍ସରୁ ୩୬ଟି ଉନ୍ନତ ରାଫେଲ୍‌ ଯୁଦ୍ଧ ବିମାନ ଆଣିବା ପାଇଁ ଦୁଇଦେଶ ମଧ୍ୟରେ ୨୦୧୬ରେ ରାଜିନାମା ହୋଇଥିଲା। ପ୍ରାୟ ୫୮,୦୦୦ କୋଟି ଟଙ୍କାରେ ଏହି ବିମାନ କିଣାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ଚାଲିଛି। ବାଦବିବାଦ ମଧ୍ୟରେ ସରକାର ଫ୍ରାନ୍ସରୁ ୩ଟି ବିମାନ ଆଣିସାରିଛନ୍ତି। ଏହି ବିମାନରେ ବାୟୁସେନା କର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ତେବେ ୨୦୧୯ ସେପ୍ଟେମ୍ବରରୁ ଏହି ବିମାନ ଯୋଗାଣ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ କରାଯିବ। ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳଗୁଡ଼ିକ ରାଫେଲ୍‌ ବିମାନ ଚୁକ୍ତି ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଆଜି କଂଗ୍ରେସ କହିଛି ଯେ ଦଳ ୨୦୧୯ରେ କ୍ଷମତାକୁ ଆସିଲେ ରାଫେଲ ଚୁକ୍ତିରେ ସଂପୃକ୍ତ ମଧ୍ୟସ୍ଥି ଓ ସମସ୍ତ ଦୋଷୀ ବ୍ୟକ୍ତିଙ୍କୁ ଜେଲ୍‌ ପଠାଯିବ। ଅନ୍ୟପକ୍ଷରେ ରାଫେଲ୍‌ ଚୁକ୍ତି ବାତିଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଛି। ଆସନ୍ତା ସପ୍ତାହରେ ଏ ନେଇ ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର