ରାଫେଲ୍‌ ଚୁକ୍ତି ପ୍ରସଙ୍ଗ: ପୁଣି ଘେରିଲେ ପୂର୍ବ ବିଜେପି ନେତା

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ଚୁକ୍ତିକୁ ନେଇ ବିଜେପି ଓ କଂଗ୍ରେସ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ଆଜି ବିଜେପିର ପୂର୍ବତନ ନେତା ୟଶ୍‌ଓ୍ଵନ୍ତ ସିହ୍ନା ଓ ଅରୁଣ ସୌରୀ ଏବଂ ଓକିଲ ପ୍ରଶାନ୍ତ ଭୂଷଣ ମୋଦୀ ସରକାରଙ୍କୁ ଘେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସେମାନେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହେବା ଆଦୌ ଶୋଭା ପାଉନାହିଁ। ତା’ଛଡ଼ା ଚୁକ୍ତିକୁ ନେଇ ହେଉଥିବା ଅଭିଯୋଗକୁ ସେ ଯେଉଁଭଳି ଢଙ୍ଗରେ ଖଣ୍ଡନ କରୁଛନ୍ତି, ତାହା ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏଭଳି କରି ମୋଦୀ ଦେଶର ରାଷ୍ଟ୍ରୀୟ ନିରାପତ୍ତା ସହିତ ସାଲିସ କରୁଛନ୍ତି ବୋଲି ସେମାନେ ଦର୍ଶାଇଛନ୍ତି। ସିହ୍ନା ଓ ସୌରୀ କହିଛନ୍ତି ଯେ ସାମରିକ ଅସ୍ତ୍ରଶସ୍ତ୍ର କିଣାବିକା ଚୁକ୍ତିକୁ ପ୍ରଧାନମନ୍ତ୍ରୀ ମନମୁଖି ଭାବେ ଚୂଡ଼ାନ୍ତ ରୂପ ଦେଉଛନ୍ତି। ଯୁଦ୍ଧାସ୍ତ୍ର ହାସଲ ପାଇଁ ଉଦ୍ଦିଷ୍ଟ ପ୍ରତ୍ୟେକ ନିୟମକୁ ପରିବର୍ତ୍ତନ କରାଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ଏମାନେ ଆହୁରି କହିଛନ୍ତି ଯେ ଦେଶର ଏହି ସବୁଠାରୁ ବଡ଼ ପ୍ରତିରକ୍ଷା ସ୍କାମ୍‌ରେ ମୋଦୀଙ୍କର ଥିବା ସମ୍ପୃକ୍ତିକୁ ଘୋଡ଼ାଇବା ଲାଗି ଅନବରତ ଭାବେ ଉଦ୍ୟମ କରାଯାଉଛି। ଦେଶ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ସୌରୀ ଦର୍ଶାଇଛନ୍ତି ଯେ ରାଫେଲ୍‌ ଚୁକ୍ତି ବାବଦରେ ସରକାର ଯେଉଁସବୁ ବୟାନ ରଖିଛନ୍ତି, ତାହା ମନଗଢ଼ା। ପ୍ରଧାନମନ୍ତ୍ରୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ କ୍ଷମତାକୁ ସଂକୁଚିତ କରି ମନମୁଖି ଭାବେ ମୂଳ ଚୁକ୍ତିକୁ ବାତିଲ କରିଛନ୍ତି। ତାଙ୍କ ସହ ଜଡ଼ିତ ପୁଂଜିପତିମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସେ ଏଭଳି କରିଛନ୍ତି। ଅଗଷ୍ଟ ୮ରେ ମଧ୍ୟ ଏହି ୩ ଜଣ ମୋଦୀ ସରକାରଙ୍କୁ ଘେରିବା ସହ ରାଫେଲ୍‌ ଚୁକ୍ତିକୁ ସବୁଠୁ ବଡ଼ ପ୍ରତିରକ୍ଷା ସ୍କାମ୍‌ ବୋଲି କହିଥିଲେ।

ଫ୍ରାନ୍ସରୁ ୧୨୬ ରାଫେଲ୍‌ ବିମାନ ଆସିବାର ଥିଲା ବେଳେ ମୋଦୀ ସରକାର ଏହାକୁ ୩୬କୁ କମାଇଥିଲେ। ମେକ୍‌ ଇନ୍‌ ଇଣ୍ଡିଆ ଭଳି ଯୋଜନାକୁ ଆଖି ବୁଜିଦେଇ ସରକାର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ପରିବର୍ତ୍ତେ ଅନ୍ୟ ସଂସ୍ଥା ସହ ଚୁକ୍ତି କଲେ। ଦେଶର ଦୀର୍ଘମିଆଦୀ ନିରାପତ୍ତା ପାଇଁ ୧୨୬ ଯୁଦ୍ଧ ବିମାନ ଜରୁରୀ ଥିଲା। କିନ୍ତୁ ଏହାକୁ କମାଇବା ପରିତାପର ବିଷୟ। ମୋଦୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଯୋଗୁ ହାଲ୍‌ ପରିବର୍ତ୍ତେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ରାଫେଲ୍‌ ଚୁକ୍ତିର ଅଫ୍‌ସେଟ୍‌ ସହଯୋଗୀ ଭାବେ ଚୟନ କରାଯାଇଛି। ଅଫ୍‌ସେଟ୍‌ ବାବଦରେ ହେବାକୁ ଥିବା ଲାଭରୁ କିଛି ଅଂଶ ମୋଦୀଙ୍କ ପକେଟ୍‌କୁ ଯିବ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର