ଭେଲୋର ମେଡିକାଲ କଲେଜରେ ରାଗିଂ:  ପ୍ରଥମ ବର୍ଷ ଛାତ୍ରଙ୍କୁ ଅର୍ଦ୍ଧନଗ୍ନ କରି ମାଟିରେ ଗଡ଼ାଇଲେ, ୭ ସିନିୟର ଛାତ୍ର ନିଲମ୍ବିତ

ଚେନ୍ନାଇ : ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ହୋଇଥିବା ଏକ ରାଗିଂ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓରେ ଦେଖାଯାଉଛି ଯେ ଛାତ୍ରାବାସରେ ସିନିୟର ପିଲାମାନେ କିଛି ପ୍ରଥମ ବର୍ଷର ଛାତ୍ରଙ୍କୁ ଅତି ଅମାନବୀୟ ଭାବେ ରାଗିଂ କରୁଛନ୍ତି । ଜୁନିଅର ପିଲାମାନଙ୍କୁ ଅର୍ଦ୍ଧନଗ୍ନ ( କେବଳ ଚଡ଼ି ପିନ୍ଧାଇ) କରାଯିବା ସହ ମାଟି ଓ ବର୍ଷା ପାଣିରେ ଗଡ଼ିବାକୁ ବାଧ୍ୟ କରାଯାଉଛି । କେବଳ ଏତିକି ନୁହେଁ, ଏକ ପାଣି ପାଇପ୍ ମାଧ୍ୟମରେ ସେମାନଙ୍କ ଉପରେ ପାଣି ସ୍ପ୍ରେ କରାଯାଉଛି ।

 

ଏହି ଭିଡିଓକୁ ପ୍ରଥମେ ଏମ୍ସର କାର୍ତ୍ତିକ ଚଦ୍ଦର ନାମକ ଜଣେ ବ୍ୟକ୍ତି ଟୁଇଟ କରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଟାଗ୍ କରିଥିଲେ ।

ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ଏକ ଅଜଣା ଇ-ମେଲ ଆଇଡିରୁ କଲେଜ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଇ-ମେଲ ଆସିବା ପରେ କଲେଜ ପକ୍ଷରୁ ଏକ ୬ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । ଏହା ସହିତ ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ପୁଲିସ ରିପୋର୍ଟ ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜର ନିର୍ଦ୍ଦେଶକ ଡ.ବିକ୍ରମ ମାଥ୍ୟୁ କହିଛନ୍ତି ।

ସମ୍ବନ୍ଧିତ ଖବର