ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ ସାଂସଦ: ଏବେ ରାଘବଙ୍କ ପରାମର୍ଶ ନେଇ ନିଷ୍ପତ୍ତି ନେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ!

ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଏକ ଅସ୍ଥାୟୀ ପରାମର୍ଶଦାତା କମିଟି ଗଠନ କରିଥିଲେ। ପାଞ୍ଚ ଦିନ ପରେ ରାଜ୍ୟ ସରକାର ସୋମବାର ଆପ୍ ରାଜ୍ୟସଭା ସଦସ୍ୟ ରାଘବ ଚଢ଼ାଙ୍କୁ ଏହାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନିକଟରେ ଏକ ପରାମର୍ଶଦାତା କମିଟି ଗଠନ ସମ୍ପର୍କରେ ପଞ୍ଜାବ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏଭଳି ପରାମର୍ଶଦାତା କମିଟି ଗଠନକୁ ବିରୋଧୀ ଦଳ ବିରୋଧ କରିଛନ୍ତି। ବିରୋଧୀ ଅଭିଯୋଗ ଯେ ଏହି କମିଟି ଗଠନ କରିବା ଅସାମ୍ବିଧାନିକ। ମୁଖ୍ୟମନ୍ତ୍ରୀ ରାଘବ ଚଢ଼ାଙ୍କୁ କମିଟିର ଅଧ୍ୟକ୍ଷ କରି ତାଙ୍କୁ ରାଜ୍ୟର ପ୍ରକୃତ କ୍ଷମତା ଥିବା ମୁଖ୍ୟମନ୍ତ୍ରୀ କରିବେ।

ଗତ ବୁଧବାର ଦିନ ଭଗୱନ୍ତ ମାନ ଏକ ଅସ୍ଥାୟୀ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବ ଭି କେ ଜନଜୁଆ ଏକ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ଏହା ସାଧାରଣ ପ୍ରଶାସନ ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ଦେବ। ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ତରରେ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କୁ ପରାମର୍ଶ ଦେବା ପାଇଁ ଏକ ସଂସ୍ଥା ଆବଶ୍ୟକ ବୋଲି ମତ ଦେଇଛନ୍ତି। ତେଣୁ, ପଞ୍ଜାବ ରାଜ୍ୟ ସରକାରଙ୍କୁ ସର୍ବସାଧାରଣ ପ୍ରଶାସନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରାମର୍ଶ ଦେବା ପାଇଁ ଏକ ଅସ୍ଥାୟୀ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର