‘ମୋଦୀ ଭଗବାନଙ୍କୁ ବି ବ୍ରହ୍ମାଣ୍ଡ ସଂଚାଳନ ଶିଖାଇଦେବେ’

ପୁଣି ବିଦେଶରେ ପ୍ରଧାନମନ୍ତ୍ରୀଙ୍କୁ ନିଶାଣ କ‌ଲେ ରାହୁଲ

ସାନ୍‌ ଫ୍ରାନସିସ୍କୋ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଆମେରିକା ଗସ୍ତରେ ଅଛନ୍ତି। ରାହୁଲ ପୁଣିଥରେ ବିଦେଶରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ଭାରତରେ କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ସେମାନେ ଭଗବାନଙ୍କଠାରୁ ଅଧିକ ଜାଣନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାନ୍‌ ଫ୍ରାନସିସ୍କୋରେ ‘ମୋହବତ କି ଦୁକାନ’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, କିଛି ଲୋକ ବୁଝନ୍ତି ଯେ, ସେମାନେ ସବୁକିଛି ଜାଣିଛନ୍ତି ଏବଂ ସେମାନେ ଐତିହାସିକଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ଏବଂ ସେନାକୁ ଯୁଦ୍ଧ ଶୁଖାଇ ପାରିବେ। ଯେକୌଣସି ବ୍ୟକ୍ତିଙ୍କ ପାଇଁ ବିଶ୍ବରେ ସବୁକିଛି ଜାଣିବା ଜଟିଳ।

ଭାରତକୁ କଳଙ୍କିତ କରୁଛନ୍ତି ରାହୁଲ ଗାନ୍ଧି: ବିଜେପି
ସଭାରେ ଖଲିସ୍ତାନୀ ସମର୍ଥକଙ୍କ ସ୍ଲୋଗାନ

ଭାରତରେ କିଛି ଲୋକ ଅଛନ୍ତି ଯେଉଁମା‌ନେ ଭାବନ୍ତି ଯେ ‌ସେମାନେ ସବୁକିଛି ଜାଣିଛନ୍ତି। ସେମାନେ ଜାଣନ୍ତି ଯେ ସେମାନେ ଭଗବାନଙ୍କଠାରୁ ବି ଅଧିକ ଜାଣିଛନ୍ତି। ସେମାନେ ଭବବାନଙ୍କ ପାଖରେ ବସି ପାରିବେ ଏବଂ ଭଗବାନଙ୍କୁ ବର୍ଣ୍ଣନା ମଧ୍ୟ କରିପାରିବେ। ଆମ ପ୍ରଧାନମନ୍ତ୍ରୀ ଏହାର ଏକ ନମୁନା। ଯଦି ଆପଣ ମୋଦୀଜୀଙ୍କୁ ଭଗବାନଙ୍କ ସହ ବସାଇ ଦେବେ ତେବେ ସେ ବ୍ରହ୍ମାଣ୍ଡ କେମିତି ସଂଚାଳନ ହେଉଛି ତାହା ଭଗବାନଙ୍କୁ ବୁଝାଇବେ ଏବଂ ଏହାପରେ ଭଗବାନ ବି ଦ୍ବନ୍ଦ୍ବରେ ପଡ଼ିଯି‌ବେ ବୋଲି ରାହୁଲ କହିଛନ୍ତି। ଏହା ସହିତ ନୂଆ ସଂସଦ ଭବନ ଉଦ୍‌ଘାଟନ ଓ ରାଜଦଣ୍ଡ (ସେଙ୍ଗୋଲ) ସ୍ଥାପନକୁ ମଧ୍ୟ ରାହୁଲ ସମାଲୋଚନା କରି ଏହାକୁ ପ୍ରହସନ ବୋଲି କହିଛନ୍ତି। ତେବେ ରାହୁଲଙ୍କ ଏହି ଟିପ୍ପଣୀର ବିଜେପି କଡ଼ା ଜବାବ ଦେଇଛି।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ରାହୁଲ ଗାନ୍ଧି ତାଙ୍କ ବିଦେଶ ଗସ୍ତ ସମୟରେ ଭାରତକୁ ଅପମାନିତ କରୁଛନ୍ତି। ଏହା ଅଗ୍ରହଣୀୟ। ସେ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବାକୁ ଚାହୁଛନ୍ତି କିନ୍ତୁ ପରିଶେଷରେ ସେ ଭାରତର ପ୍ରଗତିକୁ ନେଇ ପ୍ରଶ୍ନ ଉଠାଇ ଭାରତକୁ ହିଁ ଅପମାନିତ କରୁଛନ୍ତି। ଯେତେବେଳେ ସାରା ବିଶ୍ବ ଆମର ବିକାଶକୁ ସ୍ବୀକାର କରୁଛି, ସେ ସମୟରେ ରାହୁଲ ଗାନ୍ଧି ଭାରତକୁ କଳଙ୍କିତ କରୁଛନ୍ତି। ଅନେକ ବିଶ୍ବ ନେତା କହୁଛନ୍ତି ମୋଦୀ ହେଉଛନ୍ତି ସବୁଠୁ ଲୋକପ୍ରୀୟ ନେତା। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନିକଟରେ କହିଛନ୍ତି, ମୋଦୀ ହେଉଛନ୍ତି ବସ୍‌। ରାହୁଲ ଗାନ୍ଧି ଏହାକୁ ହଜମ କରି ପାରୁନାହାନ୍ତି ବୋଲି ଅନୁରାଗ ଠାକୁର କହିଛନ୍ତି।
ଆଜି ରାହୁଲଙ୍କ ସଭାରେ କିଛି ଖଲିସ୍ତାନୀ ସମର୍ଥକ ଭାରତ ବିରୋଧୀ ସ୍ଲୋଗାନ ଦେବା ସହ ଖଲିସ୍ତାନୀ ପତାକା ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ମଧ୍ୟ ବିବାଦ ଉପୁଜିଛି।

ସମ୍ବନ୍ଧିତ ଖବର