ଭଉଣୀ ପ୍ରିୟଙ୍କାଙ୍କୁ ଧରି ଲଖିମପୁର ଖେରି ଅଭିମୁଖେ ବାହାରିଲେ ଭାଇ ରାହୁଲ ଗାନ୍ଧୀ

ଲକ୍ଷ୍ନୌ: ଲଖିମପୁର ଯିବାକୁ ଅନୁମତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିଛନ୍ତି । ସେଠାରେ ଭଉଣୀ ପ୍ରିୟଙ୍କାଙ୍କୁ ଧରି ସୀତାପୁରରୁ ଲଖିମପୁର ଅଭିମୁଖେ ଯାତ୍ରା କରିଛନ୍ତି ରାହୁଲ । ସୋମବାର ଲଖିମପୁରକୁ ଯାଉଥିବା ବେଳେ ପ୍ରିୟଙ୍କାଙ୍କୁ ଗିରଫ କରି ସୀତାପୁର ପିଏସି ଗେଷ୍ଟ ହାଉସରେ ରଖାଯାଇଥିଲା । ହେଲେ ଆଜି ସୀତାପୁରର ଅସ୍ଥାୟୀ ଜେଲରୁ ପ୍ରିୟଙ୍କାଙ୍କୁ ଛଡାଯାଇଛି ।

ଲଖିମପୁରରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ପ୍ରଥମେ ମୃତ ସାମ୍ବାଦିକ ରମଣ କଶ୍ୟପଙ୍କ ଘରେ ପହଞ୍ଚିବେ । ରମଣଙ୍କର ଲଖିମପୁର ହିଂସାକାଣ୍ଡରେ ମୃତ୍ୟୁ ହୋଇଥିଲା । ତେବେ ଲଖିମପୁରରେ ଯିବା ପୂର୍ବରୁ ରମଣଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ ପ୍ରିୟଙ୍କା । ଏପରିକି ରମଣଙ୍କୁ ନ୍ୟାୟ ଦେବାକୁ ଲଢେଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ ପ୍ରିୟଙ୍କା । ରମଣଙ୍କ ପରିବାରକୁ ଭେଟିବା ପରେ ରାହୁଲ ଗାନ୍ଧୀ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ଘରକୁ ଯିବା ସହ ସମବେଦନା ଜଣାଇବେ ବୋଲି ଜଣାପଡ଼ିଛି ।

ଏହାପୂର୍ବରୁ ରାହୁଲ ଗାନ୍ଧୀ ଲଖିମପୁର ଯିବାକୁ ବାହାରିଥିବା ବେଳେ ତାଙ୍କୁ ଅଟକାଯାଇଥିଲା । ବିମାନବନ୍ଦରରେ ତାଙ୍କୁ ପ୍ରଶାସନ ପକ୍ଷରୁ ଯେଉଁ ଗାଡିର ବ୍ୟବସ୍ଥା ହୋଇଥିଲା ସେହିଥିରେ ଯିବାକୁ କୁହାଯାଇଥିଲା । କିନ୍ତୁ ନିଜ ଗାଡିରେ ଯିବାକୁ ରାହୁଲ କହିବା ସହ ବିମାନବନ୍ଦରରେ ଧାରଣାରେ ବସିଥିଲେ । ତେବେ ଏହାର କିଛି ସମୟ ପରେ ପ୍ରଶାସନ ତରଫରୁ ନିଜ ଗାଡିରେ ଯିବାକୁ ରାହୁଲଙ୍କୁ ଅନୁମତି ମିଳିଥିଲା ।

ସମ୍ବନ୍ଧିତ ଖବର