ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଦଙ୍ଗା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦାୟୀ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କହିଛନ୍ତି। ସିଏଏକୁ ନେଇ ଏହି ଦୁଇ କଂଗ୍ରେସ ନେତା ସାଧାରଣ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ସାଙ୍ଗକୁ ସେମାନଙ୍କୁ ଭୁଲ୍ ବାଟରେ ନେଇଛନ୍ତି। ଏହା ଫଳରେ ଦେଶର ବହୁ ନିରୀହ ଲୋକଙ୍କର ଜୀବନ ଯାଇଛି। ଆଜି ଦିଲ୍ଲୀରେ ବିଜେପିର ବୁଥ୍ସ୍ତରୀୟ କର୍ମୀ ସମାବେଶରେ ଯୋଗଦେଇ ଶାହ କଂଗ୍ରେସ ନେତା ରାହୁଲ, ପ୍ରିୟଙ୍କାଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛନ୍ତି। ସିଏଏ ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ବି ନାଗରିକତା ହରାଇବାର ପ୍ରଶ୍ନ ଉଠୁନାହିଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି।
ସିଏଏ ସହ ଏନ୍ଆର୍ସିର କୌଣସି ସମ୍ପର୍କ ନାହିଁ ବୋଲି ମତ ରଖି ଶାହ କହିଛନ୍ତି ଯେ ଦେଶରେ ମୁସ୍ଲିମ୍ ନାଗରିକଙ୍କ କ୍ଷେତ୍ରରେ ଅଯଥା ଭୟ ଓ ବିଭ୍ରାନ୍ତି ସୃଷ୍ଟି ପାଇଁ କଂଗ୍ରେସ ନେତାମାନେ ଅହରହ ଉଦ୍ୟମ କରୁଛନ୍ତି। ସିଏଏ ଓ ଏନ୍ଆର୍ସିକୁ ନେଇ ବିରୋଧୀମାନେ ଯେଉଁ ଅପପ୍ରଚାର ଚଳାଇଛନ୍ତି ତାହାକୁ ଦେଶବାସୀ ଠିକ୍ ବୁଝିଗଲେଣି ବୋଲି ସେ କହିଛନ୍ତି। ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍କୁ ଟାର୍ଗେଟ୍ କରି ଶାହ କହିଛନ୍ତି ଯେ, ସେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ଦିଲ୍ଲୀରେ ପାଞ୍ଚ ବର୍ଷ ଶାସନ କଲେ। ମାତ୍ର କୌଣସି ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇ ନାହାନ୍ତି। ଆସନ୍ତା ନିର୍ବାଚନରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବ ଏବଂ ସରକାର ଗଢ଼ିବ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୫ ନିର୍ବାଚନରେ ଦିଲ୍ଲୀର ମୋଟ ୭୦ ଆସନ ମଧ୍ୟରୁ ଆମ୍ ଆଦ୍ମି ପାର୍ଟି ୬୭ଟିରେ ବିଜୟୀ ହୋଇଥିବା ବେଳେ ବିଜେପି କେବଳ ୩ଟି ଆସନରେ ବିଜୟୀ ହୋଇଥିଲା। ଆସନ୍ତା ନିର୍ବାଚନରେ ଦିଲ୍ଲୀରେ ବିଜେପି ବିପୁଳ ବିଜୟ ହାସଲ କରି ସରକାର ଗଠନ କରିବ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି।