ପୁଲୱାମା ଆକ୍ରମଣକୁ ନେଇ ରାହୁଲ ଉଠାଇଲେ ପ୍ରଶ୍ନ- ଫାଇଦା ମିଳିଲା କାହାକୁ?

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବର୍ଷେ ପୂରିଛି  । ସାରା ଦେଶରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହାରି ଭିତରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେତେକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ପଚାରିଛନ୍ତି- ଏଥିରେ ସବୁଠୁ ଅଧିକ ଲାଭ କାହାକୁ ମିଳିଲା? ତେବେ ରାହୁଲଙ୍କ ଏପରି ପ୍ରଶ୍ନ ପଚାରିବାକୁ ସମାଲୋଚନା କରିଛି ବିଜେପି । କିନ୍ତୁ ଏହା ମଧ୍ୟ ସ୍ପଷ୍ଟ ଯେ, ପୁଲୱାମା ଆକ୍ରମଣର ପ୍ରତିଶୋଧ ସର୍ଜିକାଲ ଷ୍ଟ୍ରାଇକରେ ସରକାର ନେଇଥିଲେ ଏବଂ ୨୦୧୯ ଫେବ୍ରୁୟାରି ୨୬ରେ ହୋଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକକୁ ଲୋକସଭା ନିର୍ବାଚନରେ ବିଜେପି ମୁଖ୍ୟ ପ୍ରସଙ୍ଗ କରିଥିଲା | ଫଳାଫଳ ଯାହା ଆସିଥିଲା, ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ପୂରା ଫାଇଦା ଭାରତୀୟ ଜନତା ପାର୍ଟିକୁ ହିଁ ମିଳିଥିଲା ।


୨୦୧୯ ଫେବ୍ରୁଆରି ୧୪ ଅର୍ଥାତ ଆଜିର ଦିନରେ ଜମ୍ମୁକାଶ୍ମୀର ପୁଲୱାମାରେ ଏକ ସିଆରପିଏଫ ଗାଡିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ ଆତଙ୍କୀ । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ ଦେଶରେ ଆକ୍ରୋଶ ବଢିବା ସହ ପାକିସ୍ତାନକୁ କଡା ଜବାବ ଦେବାକୁ ଦାବି ଉଠିଥିଲା । ଉଚିତ୍ ସମୟରେ ଜବାବ ଦିଆଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୨ଦିନ ପରେ ଏହାର ପ୍ରତିଶୋଧ ନେଇଥିଲା ଭାରତ । ବାଲାକୋଟ ଏୟାର ଷ୍ଟ୍ରାଇକ ଭାରତ ସମେତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା । ଜୈଶ ଏ ମହମ୍ମଦର ଠିକଣା ଉପରେ ଆକ୍ରମଣ ଓ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା । ଏହାପରେ ମୋଦୀ ସରକାରଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା ।

ଏହାର ଦିନକ ପରେ ପାକିସ୍ତାନ ଏଫ୍-୧୬ବିମାନ ଭାରତ ସୀମାକୁ ପ୍ରବେଶ କରିଥିବା ବେଳେ ଭାରତୀୟ ମିଗ୍-୨୧ଏହାକୁ ତଡିଥିଲା । ଏଥିରେ ପାକ୍ ସୀମାରେ ଭୁଲବଶତଃ ପ୍ରବେଶ କରିଯାଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ନିଜ ହେଫାଜତକୁ ନେଇଯାଇଥିଲା ପାକିସ୍ତାନ । କିନ୍ତୁ ତାଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାକୁ ସଫଳ ହୋଇଥିଲେ ସରକାର ଏବଂ ଲୋକସଭା ନିର୍ବାଚନରେ ରାଷ୍ଟ୍ରବାଦକୁ ନେଇ ମଇଦାନକୁ ଓହ୍ଳାଇଥିବା ବିଜେପିକୁ ବିପୁଳ ସଫଳତା ମିଳିଥିଲା । ମୋଦିଙ୍କ ରାଷ୍ଟ୍ରବାଦ ପ୍ରସଙ୍ଗ ସାମ୍ନାରେ ଫିକା ପଡିଯାଇଥିଲା କଂଗ୍ରେସ । ଏହାର ଫଳ ସ୍ୱରୂପ ବିଜେପିକୁ ୩୦୩ଆସନ ମିଳିଥିଲା ଏବଂ ଏନଡିଏ ଭାଗରେ ମୋଟ୍ ୩୫୨ଆସନ ପଡିଥିଲା ।

ସମ୍ବନ୍ଧିତ ଖବର