ବିଜେପି କୌରବ, କଂଗ୍ରେସ ପାଣ୍ଡବ

ମହାଅଧିବେଶନରେ ଗର୍ଜିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ୮୪ତମ ମହାଅଧିବେଶନର ଶେଷ ଦିବସରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବିଜେପି ଓ ସଂଘ ପରିବାରକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ ବିଜେପି ଓ ସଂଘ ପରିବାର କୌରବ ଭଳି ଏବଂ ସେମାନଙ୍କ ପାଖରେ ଅହଙ୍କାର ଓ ସଂଖ୍ୟା ରହିଛି। କଂଗ୍ରେସର ତୁଳନା ପାଣ୍ଡବଙ୍କ ସହିତ କରି ରାହୁଲ କହିଥିଲେ ଯେ କଂଗ୍ରେସ ଅନେକ କିଛି ହରାଇବା ସତ୍ତ୍ୱେ ସତ୍ୟ ଓ ନ୍ୟାୟର ରାସ୍ତାରେ ଚାଲିଛି । ବିଜେପି କେବଳ କ୍ଷମତା ଅକ୍ତିଆର ଲକ୍ଷ୍ୟରେ ରାଜନୀତି କରୁଥିବା ବେଳେ କଂଗ୍ରେସ ତା’ର ଆଦର୍ଶକୁ ବଜାୟ ରଖି ରାଜନୀତି କରୁଛି । ରାହୁଲ ଏହି ଅବସରରେ ପିଏନ୍‌ବି ଦୁର୍ନୀତି, ବିଭିନ୍ନ ପରୀକ୍ଷାରେ ହୋଇଥିବା ଦୁର୍ନୀତି, କୃଷକ ଆତ୍ମହତ୍ୟା ପ୍ରସଙ୍ଗରେ ମୋଦିଙ୍କୁ ସିଧାସଳଖ ଦାୟୀ କରିଥିଲେ ଏବଂ ବିଜେପି ଅଧ୍ୟକ୍ଷ ଶାହଙ୍କୁ ମଧ୍ୟ କଟୁ ସମାଲୋଚନା କରିଥିଲେ। ଜଣେ ହତ୍ୟା ଅଭିଯୁକ୍ତକୁ ବିଜେପି ନିଜ ଦଳର ଅଧ୍ୟକ୍ଷ କରିଛି ବୋଲି ରାହୁଲ ଆକ୍ଷେପ କରିଥିଲେ। କୁରୁକ୍ଷେତ୍ର ଯୁଦ୍ଧରେ କୌରବମାନେ ଶକ୍ତିଶାଳୀ ଥିଲେ। କ୍ଷମତାର ନିଶାରେ ସେମାନେ ଅନ୍ଧ ହୋଇଯାଇଥିଲେ ଏବଂ ପାଣ୍ଡବମାନେ ଉଦାର ଥିଲେ। ବିଜେପି ଓ ଆର୍‌୍‌ଏସ୍‌୍‌ଏସ୍‌ ଭଳି କୌରବଙ୍କ ସହିତ ଲଢ଼ିବା ପାଇଁ ପାଣ୍ଡବ କଂଗ୍ରେସ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ବୋଲି ସେ କହିଥିଲେ। ପିଏନ୍‌୍‌ବି ଦୁର୍ନୀତି ପ୍ରସଙ୍ଗ ଉଲ୍ଲେଖ କରି ରାହୁଲ କହିଥିଲେ ଯେ ଗୋଟିଏ ନିରବ ମୋଦି ଦେଶରୁ ବହୁତ ବଡ଼ ଚୋରି କରି ଖସି ଯାଇଥିବା ବେଳେ ଏହା ପୂର୍ବରୁ ଲଳିତ ମୋଦି ମଧ୍ୟ ଦୁର୍ନୀତି କରି ଖସି ଯାଇଥିଲେ। ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗ ଉଠାଇ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ବେଳେ ଅମିତ ଶାହଙ୍କ ପୁଅଙ୍କ ସମ୍ପତ୍ତି ବୃଦ୍ଧି କିଭଳି ଘଟିଲା ବୋଲି ପ୍ରଶ୍ନ କରିଥିଲେ।

‘ବିଫଳ ନେତାଙ୍କ ବୃଥା ଆସ୍ଫାଳନ’
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସମାଲୋଚନାର ଜବାବ ଦେଇ ବରିଷ୍ଠ ବିଜେପି ନେତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ରାହୁଲ ଜଣେ ବିଫଳ ନେତା ଏବଂ ସେ କେବଳ ବୃଥା ଆସ୍ଫାଳନ କରୁଛନ୍ତି। ତାଙ୍କ ଭାଷଣରେ କୌଣସି ତଥ୍ୟ ନାହିଁ ଏବଂ ଏହା ସଂପୂର୍ଣ୍ଣ ଫମ୍ପା ବୋଲି ସେ କହିଛନ୍ତି। ବିଜେପିକୁ କୌରବ ଏବଂ କଂଗ୍ରେସକୁ ପାଣ୍ଡବଙ୍କ ସହ ରାହୁଲ ତୁଳନା କରିଥିବାରୁ ସୀତାରମଣ କହିଥିଲେ ଯେ ଯେଉଁ କଂଗ୍ରେସ ଦଳ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ମାନିବାକୁ ପ୍ରସ୍ତୁତ ନୁହେଁ ଏବେ ହିନ୍ଦୁ ପରମ୍ପରାକୁ ସର୍ବଦା ପରିହାସ କରିଆସିଛି, ସେହି ଦଳ ଏବେ ଅଚାନକ ଏଭଳି ବୟାନ ଦେବା ହାସ୍ୟାସ୍ପଦ । ରାହୁଲ ଗାନ୍ଧୀ ନ୍ୟାସନାଲ ହେରାଲ୍‌୍‌ଡ ମାମଲାରେ ଆପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିବାରୁ ଏବେ ଜାମିନରେ ଅଛନ୍ତି। ଅମିତ ଶାହଙ୍କୁ କୋର୍ଟ ଦୋଷମୁକ୍ତ କରିଥିବା ସତ୍ତ୍ୱେ କଂଗ୍ରେସ ତାଙ୍କ ବିରୋଧରେ ଅପପ୍ରଚାର କରୁଥିବା ସୀତାରମଣ କହିଛନ୍ତି।

ସମ୍ବନ୍ଧିତ ଖବର