ଜମ୍ମୁ: ଜମ୍ମୁ-କଶ୍ମୀରର ବଡଗାମ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା। କଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟାର ପ୍ରତିଶୋଧ ନେଲା ଭାରତୀୟ ସେନା। କଶ୍ମୀରର ଏଡିଜିପି କହିଛନ୍ତି ଯେ ବଡଗାମ ଏନକାଉଣ୍ଟରରେ ଲୁଚି ରହିଥିବା ତିନିଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିପାତ କରିଛି। ନିହତ ଆତଙ୍କବାଦୀମାନେ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ହୋଇଥିବା ବେଳେ ୩ଜଣଙ୍କ ମଧ୍ୟରୁ ଜଣେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସାମିଲ ଥିଲା ‌ବୋଲି କୁହାଯାଉଛି। ତେବେ ମୃତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରାଯାଇଥିବା ଜଣାପଡ଼ିଛି।

Advertisment

କଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟାରେ ସାମିଲ ଥିବା ଲତିଫ ରାଥରକୁ ସେନା ନିହତ କରିଥିବାରୁ ଏହା ଭାରତୀୟ ସେନା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଦୀର୍ଘ ଦିନ ଧରି ସୁରକ୍ଷା ବାହିନୀ ଲତିଫର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ସେ ଜମ୍ମୁ-କଶ୍ମୀରରେ ଅନେକ ନିରୀହଙ୍କୁ ହତ୍ୟା କରିଥିବା ସହ ରାହୁଲ ଭଟ୍ଟଙ୍କୁ ମଧ୍ୟ ହତ୍ୟା କରିଥିଲେ। ତେବେ ବୁଧବାର ସେନା ଲତିଫର ଉପସ୍ଥିତି ନେଇ ଇନପୁଟ୍ ପାଇବା ପରେ ଲତିଫ ଏବଂ ତାଙ୍କ ସହଯୋଗୀମାନଙ୍କ ଉପରେ ରଣନୀତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶେଷରେ ଏହି ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ମେ’ ୧୨ରେ ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି କଶ୍ମୀରୀ ପଣ୍ଡିତ ରାହୁଲ୍‌ ଭଟଙ୍କୁ ହତ୍ୟା କରିଥିଲେ। କଶ୍ମୀରୀ ପଣ୍ଡିତଙ୍କ ଥଇଥାନ ନେଇ ଦାବି କରାଯାଉଥିବା ବେଳେ ଏଭଳି କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।