ୟୁପି ପରାଜୟ ପାଇଁ ମାୟାବତୀଙ୍କୁ ଦାୟୀ କଲେ ରାହୁଲ: ପେଗାସସ୍‌ ଦ୍ବାରା ସରକାର ରାଜନେତାଙ୍କୁ ନିୟନ୍ତ୍ରଣ କରୁଥିଲେ

କ୍ଷମତା ପାଇଁ ମୋର ଲୋଭ ନାହିଁ କି ଆଗ୍ରହ ନାହିଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କହିଛନ୍ତି ଯେ ଉତ୍ତର ପ୍ରଦେଶରେ ବିଜେପିକୁ ରୋକିବା ପାଇଁ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମାୟାବତୀ ଏହି ପ୍ରସ୍ତାବ ପ୍ରତି ଆଦୌ କର୍ଣ୍ଣପାତ କରିନଥିଲେ ଏବଂ ଏହା ଦ୍ବାରା କଂଗ୍ରେସର ବହୁତ କ୍ଷତି ହୋଇଛି। ମାୟାବତୀଙ୍କ ଉପରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଗୁଡ଼ିକର ଚାପ ଯୋଗୁଁ ସେ ମୋ ପ୍ରସ୍ତାବ ପ୍ରତି ଗୁରୁତ୍ବ ଦେଇନଥିଲେ ବୋଲି ରାହୁଲ କହିଛନ୍ତି। ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ରାହୁଲ କହିଛନ୍ତି ଯେ ମାୟାବତୀ ଏଥର ନିର୍ବାଚନରେ କିଭଳି ନିଷ୍କ୍ରିୟ ରହିଥିଲେ ତାହା ସମସ୍ତେ ଦେଖିଛନ୍ତି। ତାଙ୍କୁ ବିରୋଧୀ ଦଳ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଦେଇଥିବା ପ୍ରସ୍ତାବ ଉପରେ ସେ ଆଲୋଚନା ମଧ୍ୟ କରିବାକୁ ଚାହିଲେ ନାହିଁ। ଏକଦା ଦଳିତଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିବା ମାୟାବତୀ ତାଙ୍କ ଆଦର୍ଶରୁ ଏଭଳି ଦୂରେଇ ଯିବା ପଛରେ କେନ୍ଦ୍ରର ଚାପ ରହିଛି ବୋଲି ସେ କହିଛନ୍ତି। ପେଗାସସ ବ୍ୟବହାର କରି କେନ୍ତ୍ର ସରକାର ରାଜନେତାଙ୍କୁ ନିୟନ୍ତ୍ରଣ କରୁଥିଲେ ବୋଲି ସେ କହିଛନ୍ତି। କଂଗ୍ରେସ ନେତା କେ. ରାଜଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ରାହୁଲ କହିଛନ୍ତି, ମୁଁ କ୍ଷମତା ଭିତରେ ଜନ୍ମ ହୋଇଥିଲେ ମଧ୍ୟ କ୍ଷମତା ହାସଲ ପାଇଁ ମୋର ଲୋଭ ନାହିଁ କି ଆଗ୍ରହ ନାହିଁ। ଦେଶରେ ଏବେ ଏଭଳି ଏକ ବଡ଼ ବର୍ଗ ରହିଛନ୍ତି, ଯେଉଁମାନେ ସବୁବେଳେ କେବଳ କ୍ଷମତା ହାସଲ ସଂପର୍କରେ ଚିନ୍ତା କରୁଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର