ମାତ୍ର ୮ ଇଞ୍ଚ୍‌ ଦୂରରେ ରାହୁଲ, ଅନ୍ତିମ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ

ଝାରସୁଗୁଡ଼ା: ଛତିଶଗଡ଼ରେ ବୋରୱେଲରେ ବାଳକ ଖସିପଡ଼ିବା ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିିଛି। ଏବେ ଅନ୍ତିମ ଉଦ୍ଧାର କାର୍ଯ୍ୟ ଚାଲୁ ହୋଇଛି ବୋଲି ସୂଚନା ରହିଛି। ୮୦ ଫୁଟ୍ ଗଭୀର ନଳକୂପରେ ଖସି ପଡ଼ିଥିବା ୧୦ ବର୍ଷର ମୂକ ବଧିର ବାଳକ ଉଦ୍ଧାର ପାଇବା ଆଶା ଉଜ୍ଜୀବିତ ହୋଇଛି। ଶେଷ ସମୟ ସୁଦ୍ଧା ରାହୁଲଙ୍କ ଅତି ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରି ତା’ର ସ୍ବର ଶୁଣିଥିବାରୁ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି। ରାହୁଲ ନିକଟରେ ଷ୍ଟ୍ରେଚର ଓ ଡାକ୍ତରୀ ଟିମ୍ ପହଞ୍ଚି ପ୍ରସ୍ତୁତ ଅଛନ୍ତି। ରାହୁଲଠାରୁ ୮ ଇଞ୍ଚ୍‌ ଦୂରରେ ପହଞ୍ଚି ସାରିଛନ୍ତି ଉଦ୍ଧାରକାରୀ ଦଳ।

ଏନ୍‌ଡିଆର୍‌ଏଫ୍‌, ସେନା ଏବଂ ପୁଲିସ୍‌ ଟିମ୍‌ ସାବ୍‌ଧାନର ସହ କାର୍ଯ୍ୟ କରୁଛି। ଭାଇବ୍ରେଟର୍‌ ଜରିଆରେ ପଥର କାଟି ରାସ୍ତା ଖୋଲାଯାଉଛି। ଆଉ ଖୁବ୍‌ କମ୍‌ ସମୟ ମଧ୍ୟରେ ରାହୁଲଙ୍କ ଉଦ୍ଧାର କରାଯିବ ବୋଲି ଆଶା ରହିଛି। ଭାଇବ୍ରେଟ୍‌ର ଚଳାଇବା ପୂର୍ବରୁ ମେସିନ୍‌ରେ କଣା କରାଯାଇଥିଲା।

ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୦ବର୍ଷର ମୂକ-ବଧିର ବାଳକକୁ ଉଦ୍ଧାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନିର୍ଦ୍ଦେଶକ୍ରମେ ଅପରେସନ୍ ଆରମ୍ଭ କରାଯାଇଥିଲା। ଆଜି ଉଦ୍ଧାରକାର୍ଯ୍ୟ ଶେଷଆଡ଼କୁ ଉକ୍ତ ଅଞ୍ଚଳକୁ ଗ୍ରିନ କରିଡର କରାଯାଇଥିଲା। ରାହୁଲଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ସେଠାରେ ଉଚ୍ଚସ୍ତରୀୟ ମେଡିକାଲ ଟିମ୍ ରହିଥିବା ବେଳେ ଯଥାଶୀଘ୍ର ଉପଯୁକ୍ତ ଚିକିତ୍ସା ଆବଶ୍ୟକ ଡାକ୍ତରୀ ଉପକରଣ ସାଙ୍ଗକୁ ରାହୁଲଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବାକୁ ଅତ୍ୟାଧୁନିକ ଆମ୍ବଲାନ୍ସ ପ୍ରସ୍ତୁତ ରହିଥିଲା। ଏହି ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର ପାଞ୍ଚ ଶହରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ, ରାହୁଲଙ୍କୁ ଡାକ୍ତରଖାନାକୁ ପହଞ୍ଚାଇ ତାଙ୍କୁ ଉପସ୍ଥିତ ଚିକିତ୍ସା ଯୋଗାଇବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାପରେ ଏହି ଅଭିଯାନରେ ସଂପୃକ୍ତ ସମସ୍ତଙ୍କୁ ତଥା ରାହୁଲଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରୁଥିବା ସମସ୍ତେ ଆଶ୍ବସ୍ତ ଅନୁଭବ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

 

ସମ୍ବନ୍ଧିତ ଖବର