ଆଇଏଏସ୍‌ ପ୍ରେମୀ-ଯୁଗଳ ‘ଟିନା ଓ ଆତହର’ଙ୍କ ବିବାହ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇଏଏସ୍‌ ପ୍ରେମୀ-ଯୁଗଳ ଟିନା ଡାବି ଓ ଆତହର ଅମୀର-ଉଲ୍‌-ସରିଫ୍‌ଙ୍କ ବିବାହକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟରରେ ସ୍ୱାଗତ ଜଣାଇଛନ୍ତି। ଜମ୍ମୁ କଶ୍ମୀରର ପହଲଗାମ୍‌ରେ ଟିନା ଓ ଆତହରଙ୍କ ବିବାହ ପରେ ରାହୁଲ ଗାନ୍ଧି ଟୁଇଟ୍‌ କରି ଲେଖିଛନ୍ତି, ଆପଣଙ୍କ ଭଲ ପାଇବା ଆହୁରି ଶକ୍ତିଶାଳୀ ହେଉ। ରାହୁଲ କହିଛନ୍ତି, ଅସହିଷ୍ଣୁତା ଓ ସାମ୍ପ୍ରଦାୟିକ ମନୋଭାବ ସତ୍ତ୍ୱେ ଟିନା ଓ ଆତହର ବିବାହ କରିଛନ୍ତି। ସମ୍ପର୍କକୁ ନେଇ ଅନେକ ଅଶ୍ରବ୍ୟ ବାଣୀ ଶୁଣିଥିବା ଆଇଏଏସ୍‌ ଟପ୍ପରଙ୍କ ବିବାହ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା ପାଲଟିଛି।

ଟୁଇଟ୍‌ରେ ରାହୁଲ କହିଛନ୍ତି, ୨୦୧୫ ଆଇଏଏସ୍‌ ଟପ୍ପର ଟିନା ଡାବି ଓ ଆତହର-ଅମୀର-ଉଲ୍‌-ସରିଫ୍‌ଙ୍କ ବିବାହକୁ ମୁଁ ଅଭିନନ୍ଦନ ଜଣାଉଛି। ଉଭୟ ଜଣେ ଅନ୍ୟ ଜଣଙ୍କ ପ୍ରତି ଭଲ ପାଇବା ଆହୁରି ଶକ୍ତିଶାଳୀ ହେଉ।

ସୂଚନାଯୋଗ୍ୟ, ଆଇଏଏସ୍‌ ପ୍ରେମୀ-ଯୁଗଳ ପହଲଗାମସ୍ଥିତ ପହଲଗାମ କ୍ଲବ ପରିସରରେ ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ସେମାନେ ଜାତୀୟ ରାଜଧାନୀ ଦିଲ୍ଲୀରେ ଟ୍ରେନିଂ ସମୟରେ ପ୍ରଥମ ସାକ୍ଷାତ ପରେ ପ୍ରେମ ସମ୍ପର୍କକୁ ନେଇ ୨୦୧୫ରୁ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ। ଟିନା ଓ ଆତହର ୨୦୧୫ ୟୁପିଏସ୍‌ସି ପରୀକ୍ଷାରେ ନିଜ ନିଜ ବେଞ୍ଚରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ।

ବିବାହ ବେଳର ଦୃଶ୍ୟକୁ ଏକ ମୋବାଇଲରେ ସୁଟିଙ୍ଗ କରାଯାଇଛି, ଯେଉଁଥିରେ କି ଆତହର ଏକ ସୁନେଲି ରଙ୍ଗର ସେରଓ୍ଵାନୀ ପିନ୍ଧିଥିବା ବେଳେ ଟିନା ଏକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି। ଟିନା ଓ ଆତହରଙ୍କ ସମ୍ପର୍କକୁ ନେଇ ଅନେକ ଲୋକ କଡ଼ା ମନ୍ତବ୍ୟ ଦେଇଥିଲେ।

ଟିନା ଓ ଆତହରଙ୍କ ବିବାହ ପୂର୍ବରୁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଟିନାଙ୍କ ଅଭିଭାବକଙ୍କୁ ଏକ ଚିଠି ଲେଖିଥିଲା। ଚିଠିରେ ଉଲ୍ଲେଖ ଥିଲା ଯେ, ଟିନା ୟୁପିଏସ୍‌ସି ପରୀକ୍ଷାରେ ଟପ୍ପର ହୋଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ କିନ୍ତୁ ସେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ବିବାହ କରୁଥିବାରୁ ବହୁତ ଯନ୍ତ୍ରଣା ଅନୁଭବ କରୁଛୁ। ଏହି ଚିଠି ମିଳିବା ପରେ ଟିନା ଫେସ୍‌ବୁକ୍‌ ପେଜ୍‌ରେ ଏକ ବାର୍ତ୍ତା ଲେଖିଥିଲେ, ‘ ପ୍ରେମ ମୁକ୍ତ।’

ସମ୍ବନ୍ଧିତ ଖବର