ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ  ଓବିସିଙ୍କ ପାଇଁ ଦ୍ୱିତୀୟ ଆମ୍ବେଦକର ସାବ୍ୟସ୍ତ ହୋଇପାରନ୍ତି ବୋଲି କଂଗ୍ରେସ ନେତା ଉଦିତ ରାଜଙ୍କ ବୟାନ ଆଜି ଚର୍ଚ୍ଚାରେ ରହିଛି । କଂଗ୍ରେସ ନେତାଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରି ବିଜେପି  କହିଛି ଯେ ଏହା ଦଳିତ ବିରୋଧୀ ଏବଂ  ମହାନ ସମାଜ ସଂସ୍କାରକ ଆମ୍ବେଦକରଙ୍କ ପ୍ରତି ଅପମାନ। କଂଗ୍ରେସ ନେତା ଉଦିତ ରାଜ ଆଜି ଏକ ପୋଷ୍ଟରେ ଲେଖିଥିଲେ, ‘ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ଙ୍କୁ ଭାବିବାକୁ ପଡ଼ିବ ଯେ ଇତିହାସ ବାରମ୍ବାର ପ୍ରଗତିର ସୁଯୋଗ ଦିଏ ନାହିଁ।

Advertisment

ତାଲକଟୋରା ଷ୍ଟାଡିୟମ ସମ୍ମିଳନୀରେ ରାହୁଲ ଗାନ୍ଧୀ ଯାହା କହିଛନ୍ତି ତାହାକୁ ସେମାନେ ଅନୁସରଣ କରିବା ଉଚିତ ଏବଂ ସମର୍ଥନ କରିବା ଉଚିତ । ଯଦି ସେମାନେ ଏପରି କରନ୍ତି, ତେବେ ରାହୁଲ ଗାନ୍ଧୀ ସେମାନଙ୍କ ପାଇଁ ଦ୍ୱିତୀୟ ଆମ୍ବେଦକର ସାବ୍ୟସ୍ତ ହେବେ।’ ସୂଚନାଯୋଗ୍ୟ, ଶୁକ୍ରବାର ରାହୁଲ ଗାନ୍ଧୀ କହିଥିଲେ ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଜାତିଗତ ଜନଗଣନା ନ କରିବା ଏକ ଭୁଲ୍‌ ଥିଲା ଏବଂ ସେ ଏହାକୁ ସୁଧାରିବାକୁ ସଂକଳ୍ପବଦ୍ଧ। ଉଦିତ ରାଜଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ  ଏବେ ଦ୍ୱିତୀୟ ବିଆର୍‌ ଆମ୍ବେଦକରଙ୍କ କଥା କହିବା ଦଳିତଙ୍କ ପ୍ରତି ଅପମାନ। ବାବାସାହେବଙ୍କୁ  କଂଗ୍ରେସ କେବେ ବି ସମ୍ମାନ ଦେଇନାହିଁ ଏବଂ ତାଙ୍କୁ ବାରମ୍ବାର ଅପମାନିତ କରିଛି ବୋଲି ପୁନାୱାଲା କହିଛନ୍ତି।