ବସୁନ୍ଧରାଙ୍କୁ ରାହୁଲଙ୍କ କଟାକ୍ଷ: ୨୦୧୭ ଚାଲିଛି, ୧୮୧୭ ନୁହେଁ

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ବିଧାୟକ, ସାଂସଦ, ସରକାରୀ ଅଧିକାରୀ ଏବଂ ବିଚାରପତିମାନଙ୍କୁ ସେମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗ ମାମଲାରେ ସୁରକ୍ଷା ଦେବାକୁ ବିବାଦୀୟ ଆଇନ ଆଣିଥିବାରୁ ଆଜି ଏହାକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଉଦ୍ଦେଶ୍ୟରେ ଟ୍ଵିଟ୍‌ କରି ରାହୁଲ କହିଛନ୍ତି -‘ମ୍ୟାଡାମ୍‌ ମୁଖ୍ୟମନ୍ତ୍ରୀ, ଏବେ ୨୦୧୭ ମସିହା ଚାଲିଛି, ୧୮୧୭ ନୁହେଁ ଏବଂ ଏହା ଏକାବିଂଶ ଶତାବ୍ଦୀ।’ ବିଚାରପତି, ସରକାରୀ ଅଧିକାରୀ ଓ ନେତାଙ୍କୁ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ମତପ୍ରକାଶର ଅଧିକାର ଉପରେ ଆକ୍ରମଣ ବୋଲି ସେ ଉଲ୍ଲେଖ କରିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ରାଜସ୍ଥାନ ବିଧାନସଭା ଅଧିବେଶନରେ ସରକାର ଏ ବାବଦ ବିଲ୍‌ ଆଗତ କରିବାକୁ ଯାଉଥିବା ବେଳେ ଏଥିପାଇଁ ଅଧ୍ୟାଦେଶ ମଧ୍ୟ ଗୃହୀତ ହୋଇଯାଇଛି। ସିଆରପିସିରେ ସଂଶୋଧନ ଆଣି ଏଭଳି ଆଇନ କାର୍ଯ୍ୟକାରୀ କରାଗଲେ ସରକାରଙ୍କ ବିନା ଅନୁମୋଦନରେ ନେତା ଓ ବାବୁମାନଙ୍କ ବିରୋଧରେ କୌଣସି ମାମଲା ଦାଏର ହୋଇପାରିବ ନାହିଁ। ପୂର୍ବ ଭଳି ଆଉ ଏଫ୍‌ଆଇଆର୍‌ ରୁଜୁ ହୋଇପାରିବ ନାହିଁ ଏବଂ ଗଣମାଧ୍ୟମ ମଧ୍ୟ ଏ ସଂକ୍ରାନ୍ତ ରିପୋର୍ଟ ଛାପିବାକୁ ସକ୍ଷମ ହେବନାହିଁ।

ଏହି ନୂତନ ଆଇନ ଅନୁଯାୟୀ କୌଣସି ବିଚାରପତି କିମ୍ବା ସରକାରୀ ଅଫିସର ଡ୍ୟୁଟି ସମୟରେ କରିଥିବା କୌଣସି କାର୍ଯ୍ୟ ବିରୋଧରେ ସିଧାସଳଖ ଏଫ୍‌୍‌ଆଇଆର୍‌ ରୁଜୁ ହୋଇପାରିବ ନାହିଁ କିମ୍ବା ଅଭିଯୋଗକାରୀ ଏହା ବିରୋଧରେ କୋର୍ଟ ମାଧ୍ୟମରେ ମଧ୍ୟ ଏଫ୍‌ଆଇଆର୍‌ ଦାଖଲ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର