ଐଶ୍ୱର୍ଯ୍ୟାଙ୍କ ପ୍ରତି ମନ୍ତବ୍ୟ ନେଇ ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଟାର୍ଗେଟ କରି ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିଜେପି ସମାଲୋଚନା କରିଛି। ଐଶ୍ୱର୍ଯ୍ୟାଙ୍କୁ ଅପମାନିତ କରିବାରେ ରାହୁଲ ଗାନ୍ଧୀ ବହୁ ତଳ ସ୍ତରକୁ ଖସି ଆସିଛନ୍ତି ବୋଲି ଅଭିଯୋଗ କରି ବିଜେପି ଦାବି କରିଛି ଯେ ୫୩ ବର୍ଷୀୟ ରାହୁଲ ଗାନ୍ଧୀ ସଫଳ ମହିଳାଙ୍କ ପ୍ରତି ବିପଜ୍ଜନକ ଓ ଭୟଙ୍କର ଆଭିମୁଖ୍ୟ ରଖିଛନ୍ତି।

ନିକଟରେ ଉତ୍ତରପ୍ରଦେଶରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟରୁ ଏହି ବିବାଦ ସୃଷ୍ଟି ହୋଇଥିଲା। ଗତ ମାସରେ ଅଯୋଧ୍ୟାର ରାମମନ୍ଦିରରେ ଆୟୋଜିତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ରାହୁଲ କହିଥିଲେ ଯେ ବଲିଉଡର ଅନେକ ସେଲିବ୍ରିଟି ଓ କୋଟିପତିଙ୍କ ଉପସ୍ଥିତିରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓବିସି, ଦଳିତ କିମ୍ବା ଆଦିବାସୀ ସମ୍ପ୍ରଦାୟର କେହି ଯୋଗ ଦେଇ ନ ଥିଲେ, ଯେଉଁମାନେ ଦେଶର ଜନସଂଖ୍ୟାର ୭୩ ପ୍ରତିଶତ ଅଟନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ ଯୋଗ ଦେଇଥିବା ବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସେମାନଙ୍କ ସହ ଅଯୋଧ୍ୟା ଯାଇ ନ ଥିଲେ କି ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥିଲେ। ତେବେ ରାହୁଲ ତାଙ୍କ ନାମ ନେଇ ଆପତ୍ତିଜନକ ବୟାନ ଦେଇଥିଲେ। ବିଜେପିର କର୍ଣ୍ଣାଟକ ରାଜ୍ୟ ଶାଖା ଏକ ବିବୃତିରେ କହିଛି, ଭାରତୀୟଙ୍କ କ୍ରମାଗତ ପ୍ରତ୍ୟାଖ୍ୟାନରେ ନିରାଶ ହୋଇ ରାହୁଲ ଗାନ୍ଧୀ ଭାରତର ଗୌରବ ଐଶ୍ୱର୍ଯ୍ୟା ରାୟଙ୍କୁ ଅପମାନିତ କରିଛନ୍ତି।

ଚତୁର୍ଥ ପିଢ଼ିର ଜଣେ ବଂଶବାଦୀ, ଏବେ ଐଶ୍ୱର୍ଯ୍ୟା ରାୟଙ୍କୁ ଅପମାନିତ କରୁଛନ୍ତି, ଯିଏ କି ରାହୁଲ ଗାନ୍ଧୀଙ୍କ ପୂରା ପରିବାରଠାରୁ ଭାରତ ପାଇଁ ଅଧିକ ଗୌରବ ଆଣିଛନ୍ତି। ଏଥିସହିତ ରାହୁଲ ଜଣେ କନ୍ନଡିଗାଙ୍କୁ ଅପମାନିତ କରିଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କାହିଁକି ଚୁପ୍ ରହିଲେ ବୋଲି ବିଜେପି ପ୍ରଶ୍ନ କରିଛି। ରାହୁଲଙ୍କ ମନ୍ତବ୍ୟକୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ମଧ୍ୟ ନିନ୍ଦା କରିବା ସହ ରାଜନୈତିକ ଫାଇଦା ପାଇଁ ରାଜନେତାମାନେ ମହିଳାଙ୍କୁ ଟାର୍ଗେଟ୍ କରିବା ପ୍ରଥାକୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର