ଚୌକିଦାର ଚୋର୍‌ ହୈ ବୟାନ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ରାହୁଲ

ଚୌକିଦାର ଚୋର୍‌ ହୈ ସ୍ଲୋଗାନ ମୁଁ କିମ୍ବା କଂଗ୍ରେସ ଦେଇନାହିଁ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଚୌକିଦାର ଚୋର ହୈ ବୟାନ ପାଇଁ ସୁପ୍ରିମ୍‌ କୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ରାହୁଲ ଅଦାଲତ ଅବମାନନା ମାମଲାରେ ପ୍ରଥମେ ଦାଏର କରିଥିବା ଦୁଇଟି ସତ୍ୟପାଠରେ କେବଳ ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ କୋର୍ଟ ଏହି ମାମଲାରେ ରାହୁଲଙ୍କ ଆବେଦନକୁ ଖାରଜ କରିଦେବା ପରେ ରାହୁଲ ଗାନ୍ଧୀ ନୂଆ ସତ୍ୟପାଠ ଦାଖଲ କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।
ଗତମାସରେ ସୁପ୍ରିମ୍‌ କୋର୍ଟ ରାଫେଲ ଚୁକ୍ତି ମାମଲାରେ ପ୍ରଘଟ ହୋଇଥିବା ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ କରି ଦ୍ବିତୀୟ ବାର ଶୁଣାଣି ପାଇଁ ରାଜି ହୋବପରେ ରାହୁଲ କହିଥିଲେ ସୁପ୍ରିମ୍‌ କୋର୍ଟ ଏବେ ମାନି ନେଇଛନ୍ତି ଯେ ‘ଚୌକିଦାର ଚୋର ହୈ।’ ଏହାପରେ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି କଂଗ୍ରେସ ସଭାପତିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏହା ପରେ କୋର୍ଟ ଏହି ମାମଲାରେ ନୋଟିସ୍‌ ଜାରି କରି ଜବାବ ମାଗିଥିଲେ। ରାହୁଲ ୨୨ ଏପ୍ରିଲରେ ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ କୋର୍ଟ ରାହୁଲଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଅବମାନନା ନୋଟିସ ଜାରି କରିବା ପରେ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ବାଧ୍ୟ ହୋଇଥିଲେ।

ଭିଣ୍ଡ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶର ଭିଣ୍ଡ୍‌ରେ ନିର୍ବାଚନୀ ସଭାରେ କହିଛନ୍ତି ଯେ ସେ କିମ୍ବା ତାଙ୍କ ଦଳ ‘ଚୌକିଦାର ଚୋର ହୈ’ ସ୍ଲୋଗାନ ଦେଇନାହିଁ। ଏହି ସ୍ଲୋଗାନ ଦେଶର ଯୁବକ ଓ କୃଷକମାନେ ଦେଇଛନ୍ତି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାଫେଲ ଚୁକ୍ତି ମାଧ୍ୟମରେ ଅନୀଲ ଅମ୍ବାନିଙ୍କୁ ଫାଇଦା ଦେଇଥିବାରୁ ଏହି ସ୍ଲୋଗାନ ଯୁବ ଗୋଷ୍ଠୀ ଏବଂ କୃଷକମାନେ ଦେଇଛନ୍ତି ବୋଲି ରାହୁଲ କହିଛନ୍ତି। ରାହୁଲ ଏହି ଅବସରରେ କଂଗ୍ରେସର ନ୍ୟାୟ ଯୋଜନା ସଂପର୍କରେ ଉଲ୍ଲେଖ କରି କହିଥିଲେ ଯେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଲେଖାଏଁ ମିଳିବ।

ସମ୍ବନ୍ଧିତ ଖବର