ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଭାରତ ସଂପର୍କରେ ଦେଇଥିବା ଟିପ୍ପଣୀକୁ ନେଇ ଝଡ଼ ସୃଷ୍ଟି ହୋଇଛି। ତେବେ ରାହୁଲ ପ୍ରଥମ ଥର ଏଭଳି କାର୍ଯ୍ୟ କରି ନାହାନ୍ତି। ଏହାକୁ ମିଶାଇ ୭ ଥର ସେ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିବା ସହ ଦେଶର ଗଣତନ୍ତ୍ର ଓ ସାମ୍ବିଧାନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୨୦୧୭ ମସିହାରୁ ରାହୁଲଙ୍କ ଏଭଳି କାର୍ଯ୍ୟ ଜାରି ରହିଛି।
୨୦୨୨ ମସିହା ମେ’ ମାସରେ ରାହୁଲ ଲଣ୍ଡନରେ ଭାରତ ପାଇଁ ଚିନ୍ତାଧାରା ଶୀର୍ଷକ ଆଲୋଚନାରେ ବିଜେପି ସରକାରକୁ ସମାଲୋଚନା କରିଥିଲେ। ଭାରତର ଆତ୍ମାକୁ ବିଜେପି ଆକ୍ରମଣ କରୁଛି ଏବଂ ଭାରତର ସ୍ବରକୁ ଚପାଇ ଦିଆଯାଇଛି ବୋଲି ସେ କହିଥିଲେ। ପାକିସ୍ତାନ ଭଳି ସିବିଆଇ ଓ ଇଡି ଭାରତକୁ ଚୋବାଇ ଖାଉଥିବା ସେ ଦାବି କରିଥିଲେ।

Advertisment

୨୦୧୮ ଅଗଷ୍ଟରେ ବ୍ରିଟେନ ଏବଂ ଜର୍ମାନୀ ଗସ୍ତ ସମୟରେ ମଧ୍ୟ ରାହୁଲ ନିଯୁକ୍ତି ପ୍ରସଙ୍ଗରେ ମୋଦୀଙ୍କୁ ସମାଲୋଚନା କରିଥିଲେ। ସେହିଭଳି ୨୦୧୮ ମାର୍ଚ୍ଚରେ ମାଲେସିଆରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିରୋଧ କରି ବିବୃତି ରଖିଥିଲେ। ସେହିବର୍ଷ ମାର୍ଚ୍ଚରେ ସିଙ୍ଗାପୁରର ଲି କୁଆନ୍ ୟୁ ସ୍ମୁଲ ଅଫ୍ ପବ୍ଲିକ ପଲିସିରେ ଏକ ଆଲୋଚନାରେ ଭାଗ ନେଇ ରାହୁଲ ଭାରତରେ ଭୟର ବାତାବରଣ ଖେଳିଯାଇଛି ଏବଂ ନିର୍ବାଚନ ଜିତିବା ପାଇଁ ବିଭାଜନ ରାଜନୀତି କରାଯାଉଛି ବୋଲି କହିଥିଲେ। ୨୦୧୮ ଜାନୁଆରିରେ ବାହାରିନରେ ରାହୁଲ କେନ୍ଦ୍ର ସରକାରକୁ ସମାଲୋଚନା କରିଥିଲେ। ନିଯୁକ୍ତି ପ୍ରଦାନ କରିବାରେ ସରକାର ବିଫଳ ହୋଇଥିବାରୁ ଲୋକଙ୍କ ମଧ୍ୟରେ କ୍ରୋଧ ଓ ଘୃଣା ସୃଷ୍ଟି ହେଉଥିବା ସେ ମନ୍ତବ୍ୟ ଦେଇଥିଲେ। ଏହା ପୂର୍ବରୁ ୨୦୧୭ ସେପ୍ଟେମ୍ବରରେ ରାହୁଲ ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଇଣ୍ଡିଆ ଆଟ୍ ୭୦ ଉପରେ ଭାଷଣ ଦେବାବେଳେ ମୋଦୀ ଏବଂ ବିଜେପି ସରକାରକୁ ସମାଲୋଚନା କରିଥିଲେ। ଭାରତରେ ଅହିଂସା ଚିନ୍ତାଧାରା ଉପରେ ଆଜି ଆକ୍ରମଣ ଚାଲିଛି। ‌ମୋଦୀ ସରକାର କେବଳ ଦେଶର ବଡ ୧୦୦ କମ୍ପାନିର ସ୍ବାର୍ଥ ଦେଖୁଛନ୍ତି ବୋଲି ରାହୁଲ କହିଥିଲେ।