ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଆଜି ନିଟ୍‌-ୟୁଜି ପେପର୍‌ ଲିକ୍‌ ମାମଲାକୁ ନେଇ ଲୋକସଭାରେ ଶାସକ ଏବଂ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ନିଟ୍‌ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାଣ କରିଥିବା ବେଳେ ପ୍ରଧାନ ମଧ୍ୟ ଏହାର କଡ଼ା ଜବାବ ଦେଇଛନ୍ତି। ରାହୁଲ ଆଜି ଗୃହରେ କହିଥିଲେ, ‘ଆମ ପରୀକ୍ଷା ପଦ୍ଧତିରେ ଅତି ସାଂଘାତିକ ସମସ୍ୟା ଅଛି ଏବଂ ଏହା ସମଗ୍ର ଦେଶ ପାଇଁ ଏକ ବାସ୍ତବତା। କେବଳ ନିଟ୍‌ ନୁହେଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ଜାଲିଆତି ହେଉଛି । ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ନିଜକୁ ବାଦ୍‌ ଦେଇ ଅନ୍ୟ ସମସ୍ତଙ୍କୁ ଦାୟୀ କରୁଛନ୍ତି। ରାହୁଲ କହିଥିଲେ, ଏଠି କ’ଣ ଚାଲିଛି ଏବଂ ମୌଳିକ ବିଷୟବସ୍ତୁ କ’ଣ ତାହା ଧର୍ମେନ୍ଦ୍ର ପ୍ରଧାନ ବୁଝୁଛନ୍ତି କି ନାହିଁ ତାହା ମୁଁ ଜାଣିପାରୁନି। ଭାରତୀୟ ପରୀକ୍ଷା ବ୍ୟବସ୍ଥାର ସ୍ବଚ୍ଛତାକୁ ନେଇ ଚିନ୍ତା ପ୍ରକଟ କରି ରାହୁଲ କହିଥିଲେ, ଲକ୍ଷାଧିକ ଛାତ୍ର ଏହା ବିଶ୍ବାସ କରୁଛନ୍ତି ଯେ ସମଗ୍ର ବ୍ୟବସ୍ଥାରେ ଜାଲିଆତି ହେଉଛି ଏବଂ ଯିଏ ଧନୀ ଏବଂ ଯାହା ପାଖରେ ଟଙ୍କା ଅଛି ସେ ଭାରତୀୟ ପରୀକ୍ଷା ପଦ୍ଧତିକୁ କିଣି ନେଇପାରିବ । ଉକ୍ତ ପ୍ରସଙ୍ଗରେ ସେ ପୃଥକ୍‌ ଭାବେ ଦିନିକିଆ ଆଲୋଚନା ଦାବି କରିଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମାନ ଅଭିଯୋଗ ଆଣି ସରକାରକୁ ଘେରିଥିଲେ।

Advertisment

ସମଗ୍ର ବ୍ୟବସ୍ଥାରେ ଜାଲିଆତି ହେଉଛି: ରାହୁଲ
ରାହୁଲ ଗାନ୍ଧୀ ପ୍ରଥମେ ପରୀକ୍ଷା ବ୍ୟବସ୍ଥାର ମୌଳିକ ଜ୍ଞାନ ହାସଲ କରନ୍ତୁ: ଧର୍ମେନ୍ଦ୍ର

ବିରୋଧୀଙ୍କ ଏଭଳି ଅଭିଯୋଗର କଡ଼ା ଜବାବ ରଖି ଧର୍ମେନ୍ଦ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କ ଭଳି ନେତା ପରୀକ୍ଷା ବ୍ୟବସ୍ଥାର ବାସ୍ତବତାକୁ ବୁଝି ପାରୁନାହାନ୍ତି ଏବଂ ଅତ୍ୟନ୍ତ ବେପରୁଆ ମନ୍ତବ୍ୟ ଦେଉଛନ୍ତି। ଏହି ନେତାମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ୟୁପିଏ ଶାସନ କାଳର ପେପର ଲିକ୍‌ ସଂପର୍କରେ ଆଲୋଚନା ହେଲେ ସେମାନଙ୍କ ଦୟନୀୟ ସ୍ଥିତି ସାମ୍ନାକୁ ଆସିଯିବ । ରାହୁଲ ଗାନ୍ଧୀ ପରୀକ୍ଷା ପରିଚାଳନାର ମୌଳିକ ଜ୍ଞାନ ମଧ୍ୟ ହାସଲ କରିନାହାନ୍ତି ଏବଂ କଂଗ୍ରେସ ସରକାର ଶିକ୍ଷାନୁଷ୍ଠାନରେ ଅନିୟମିତତା ରୋକିବା ପାଇଁ ବିଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ କାହିଁକି ପଛଘୁଞ୍ଚା ଦେଇଥିଲା ସେ ଦିଗରେ ମଧ୍ୟ ଦୃଷ୍ଟିପାତ କରିବାକୁ ଚାହୁନାହାନ୍ତି। କେଉଁ ବାଧ୍ୟତାମୂଳକ ଚାପରେ ଏବଂ କେଉଁ କାରଣରୁ କଂଗ୍ରେସ ଦଳ ଅନିୟମିତତା ରୋକିବା ପାଇଁ ବିଲ୍‌ ଆଣିବାକୁ ମନା କରିଥିଲା ତାହା ବିରୋଧୀ ଦଳ କହିପାରିବ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ଗତ ୭ ବର୍ଷ ମଧ୍ୟରେ ପେପର ଲିକ୍ ହେବାର କୌଣସି ପ୍ରମାଣ ମିଳିନାହିଁ। ନିଟ୍‌-ୟୁଜି ବିବାଦରେ ସରକାରଙ୍କର କିଛି ଲୁଚାଇବାର ନାହିଁ। ଆମେ ସୁପ୍ରିମକୋର୍ଟରେ ସବୁ ତଥ୍ୟ ଦାଖଲ କରିଛୁ ଏବଂ ଯେକୌଣସି ପ୍ରକାର ଆଲୋଚନା ପାଇଁ ଗୃହ ପ୍ରସ୍ତୁତ ଅଛି । ତେବେ ନିଟ୍‌ ଅନିୟମିତତା ଅଭିଯୋଗ ପାଇଁ ସେ ତାଙ୍କ ପଦରୁ ଇସ୍ତଫା ଦେବେ କି ବୋଲି ପ୍ରଶ୍ନ କରିବାରୁ ପ୍ରଧାନ କହିଛନ୍ତି, ମୋ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ମୁଁ ମୋ ଦାୟିତ୍ବ ତୁଲାଉଛି। ଯେତେବେଳେ ଉତ୍ତରଦାୟିତ୍ବ କଥା ଉଠିବ ସେତେବେଳେ ଆମ ସରକାର ଉତ୍ତରଦାୟୀ ରହିବ ବୋଲି ସେ କହିଛନ୍ତି।