ନୂଆଦିଲ୍ଳୀ: ଆଜିଠାରୁ ୧୮ଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଅପରପକ୍ଷରେ ଶାସନ ଦାୟିତ୍ବ ଗ୍ରହଣ କରି ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟର ୧୫ ଦିନ ଅତିବାହିତ ହୋଇଛି। ଏହି ୧୫ ଦିନର ୧୦ଟି ପ୍ରମୁଖ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶାସକ ଏନ୍‌ଡିଏକୁ କଠୋର ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’‌ରେ ଏ ସମ୍ପର୍କିତ ପୋଷ୍ଟରେ ରାହୁଲ, ପଶ୍ଚିମବଙ୍ଗର ରେଳ ଦୁର୍ଘଟଣା, ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୟୁଜିସି-ନିଟ୍‌ ଓ ୟୁଜିସି-ନେଟ୍‌ ପେପର ଲିକ୍‌, ଖାଦ୍ୟଦ୍ରବ୍ୟର ଅହେତୁକ ମୂଲ୍ୟବୃଦ୍ଧି, ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି, ଟୋଲ୍‌ ଟ୍ୟାକ୍ସ ବୃଦ୍ଧି, ଜଙ୍ଗଲ ନିଆଁ, ଗ୍ରୀଷ୍ମପ୍ରବାହରେ ଲୋକଙ୍କ ମୃତ୍ୟୁ ଆଦି ପ୍ରସଙ୍ଗକୁ ଉପସ୍ଥାପିତ କରିଛନ୍ତି। ଏହା ସହ ରାହୁଲ କହିଛନ୍ତି ଯେ ଏନ୍‌ଡିଏ ସରକାର ମନସ୍ତାତ୍ତ୍ବିକ ଭାବେ ପଛଘୁଞ୍ଚା ଦେଇଛି। ନିଜ ସରକାର ରକ୍ଷା କରିବାପାଇଁ ନରେନ୍ଦ୍ର ମୋଦୀ ବ୍ୟସ୍ତ ଅଛନ୍ତି।