ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିକଟରେ ହୋଇଥିବା ନିର୍ବାଚନଗୁଡ଼ିକର ସ୍ବଚ୍ଛତାକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ଏବଂ ନିର୍ବାଚନ କମିସନ (ଇସି) ପକ୍ଷପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଇସିଙ୍କ ଉପରେ ତୀବ୍ର ଆକ୍ରମଣ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ନିର୍ବାଚନୀ ସଂସ୍ଥା ଦେଶରେ ‘ନିର୍ବାଚନ ଚୋରି’ କରିବା ପାଇଁ ବିଜେପି ସହିତ ଏକାଠି କାମ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ନକଲି ଭୋଟରଙ୍କୁ ଯୋଡ଼ାଯାଉଛି। ରାହୁଲ ତାଙ୍କର ଏହି ମତକୁ ପ୍ରମାଣ କରିବାକୁ ଉଦ୍ୟମ କରି କର୍ଣ୍ଣାଟକର ଭୋଟର ତାଲିକା ଦେଖାଇଛନ୍ତି। ରାହୁଲ ଦାବି କରିଛନ୍ତି ଯେ ବେଙ୍ଗାଲୁରୁ କେନ୍ଦ୍ରୀୟ ଲୋକସଭା ଆସନର ମହାଦେବପୁରା ବିଧାନସଭା କ୍ଷେତ୍ରରେ ‘ଭୟଙ୍କର ଚୋରି’ (ବ୍ୟାପକ ପରିମାଣର ଭୋଟ ଚୋରି) ହୋଇଛି। ରାହୁଲ ଦାବି କରିଛନ୍ତି ମହାଦେବପୁରା ବିଧାନସଭା କ୍ଷେତ୍ରର ୬.୫ ଲକ୍ଷ ଭୋଟ ମଧ୍ୟରୁ ୧ ଲକ୍ଷରୁ ଅଧିକ ଭୋଟ ଚୋରି ହୋଇଥିଲା। ମହାଦେବପୁରା ନିର୍ବାଚନମଣ୍ଡଳୀରେ ଏକ ଲକ୍ଷରୁ ଅଧିକ ନକଲି ଭୋଟର, ଅବୈଧ ଠିକଣା, ବହୁ ଭୋଟର ମିଳିଥିବା ରାହୁଲ ଦାବି କରିଛନ୍ତି। ତେବେ ନିର୍ବାଚନ କମିସନ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ମିଥ୍ୟା ଓ ବିଭ୍ରାନ୍ତିକର ଅଭିଯୋଗରୁ ଦୂରେଇ ରହିବାକୁ କହିଛନ୍ତି।
କର୍ଣ୍ଣାଟକ, ମହାରାଷ୍ଟ୍ର ନିର୍ବାଚନରେ ଭୋଟ ଚୋରି ହୋଇଛି: ରାହୁଲ
ଇସିଙ୍କ ଚ୍ୟାଲେଞ୍ଜ: ପ୍ରମାଣ ସହିତ ସତ୍ୟପାଠ ଦାଖଲ କରନ୍ତୁ
ଇସିଙ୍କ ଚ୍ୟାଲେଞ୍ଜ: ପ୍ରମାଣ ସହିତ ସତ୍ୟପାଠ ଦାଖଲ କରନ୍ତୁ
ଉଲ୍ଲେଖଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ବେଙ୍ଗାଲୁରୁ କେନ୍ଦ୍ରୀୟ ଲୋକସଭା ଆସନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ମନସୁର ଅଲ୍ଲୀ ଖାନ୍ ଗଣତି ସମୟରେ ଲଗାତାର ଆଗୁଆ ରହିଥିଲେ। ସେଠାରେ ଚୂଡ଼ାନ୍ତ ଫଳାଫଳ ଅନୁସାରେ ବିଜେପିର ପିସି ମୋହନ ୩୨,୭୦୭ ଅଧିକ ଭୋଟ ପାଇ ବିଜୟ ହାସଲ କରିଥିଲେ। କଂଗ୍ରେସକୁ ୬,୨୬,୨୦୮ ଭୋଟ ମିଳିଥିବା ବେଳେ ବିଜେପିକୁ ୬,୫୮,୯୧୫ ଭୋଟ ମିଳିଥିଲା। ରାହୁଲ ଦାବି କରିଛନ୍ତି ଯେ ଏହି ଆସନରେ ଭୋଟ୍ ଚୋରିର ପ୍ରମାଣ ତାଙ୍କ ପାଖରେ ରହିଛି। ସେହିଭଳି ମହାଦେବପୁରା ଆସନରେ ୧,୦୦,୨୫୦ ଭୋଟ ଚୋରି ହୋଇଛି, ଯେଉଁଥିରେ ୧୧,୯୬୮ ନକଲି ଭୋଟର ରହିଛନ୍ତି ଏବଂ ୪୦,୦୦୯ ଭୋଟରଙ୍କର ଜାଲ ଓ ଅବୈଧ ଠିକଣା ଥିବାବେଳେ ୪,୧୩୨ ଭୋଟରଙ୍କ ଅବୈଧ ଫଟୋ ରହିଛି।
ରାହୁଲ ଆହୁରି ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପର୍ଯ୍ୟବେକ୍ଷକ ଦଳଗୁଡ଼ିକୁ ଭୋଟର ତଥ୍ୟ ଯାଞ୍ଚ ବାରଣ ପାଇଁ ଜାଣିଶୁଣି ଡିଜିଟାଲ୍ ଦସ୍ତାବିଜ ପ୍ରଦାନ କରୁନାହାନ୍ତି। ସେ କହିଛନ୍ତି, ହରିୟାଣାରେ ବୁଥ୍ ବାହୁଡ଼ା ମତ ଗୋଟିଏ କଥା କହୁଥିବା ବେଳେ ପରିଣାମ ଅଲଗା ଆସିଥିଲା। ଆପଣମାନେ ହରିୟାଣା, ମହାରାଷ୍ଟ୍ର ନିର୍ବାଚନରେ ଏହା ଦେଖିଥିଲେ ଏବଂ ତା’ପରେ ହଠାତ ଫଳାଫଳ ବଡ଼ ପରିବର୍ତ୍ତନ ସହିତ ସମ୍ପୂର୍ଣ୍ଣ ଭିନ୍ନ ଦିଗରେ ଚାଲିଲା ବୋଲି ସେ କହିଛନ୍ତି। ତେବେ ରାହୁଲଙ୍କର ଏହି ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଫିସର କହିଛନ୍ତି, ରାହୁଲ ଯେଉଁ ଅଭିଯୋଗ କରୁଛନ୍ତି ସେ ନେଇ ଏକ ଦସ୍ତଖତ ସହ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରନ୍ତୁ ଏବଂ ପ୍ରମାଣ ଦାଖଲ କରନ୍ତୁ। ରାହୁଲ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ବନ୍ଦ କରନ୍ତୁ। ବାରମ୍ବାର ଭୋଟ ଚୋରି ଅଭିଯୋଗ ଆଣି କଂଗ୍ରେସ ସାଂସଦ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍ କରୁଛନ୍ତି। କିନ୍ତୁ କୌଣସି ବିଶ୍ବସନୀୟ ପ୍ରମାଣ ଦେଖାଇବାରେ ସମର୍ଥ ହୋଇନାହାନ୍ତି ବୋଲି କମିସନ କହିଛନ୍ତି। କେବଳ ହଟଚମଟ ଓ ବିଭ୍ରାନ୍ତି ପାଇଁ ଅଭିଯୋଗ ଆଣିବା ନନ୍ଦନୀୟ। ଏଭଳି କରିବା ବଦଳରେ ରାହୁଲ ଲିଖିତ ଅଭିଯୋଗ ସହିତ ପ୍ରମାଣ ଦାଖଲ କରି ଆଇନଗତ ପ୍ରକ୍ରିୟାରେ ସହଯୋଗ କରିବାକୁ କମିସନ ଆହ୍ବାନ ଦେଇଛନ୍ତି।