କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ସନ୍ତୁଳିତ ଅର୍ଥନୀତି ଦ୍ୱାରା ସବୁ କ୍ଷେତ୍ରରେ ସନ୍ତୁଳିତ ବିକାଶ ଘଟାଇବ: କଂଗ୍ରେସ ଅଧ୍ୟକ୍ଷ ରାହୁଲ

ନୂତନ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀଙ୍କ ସର୍ବ ପ୍ରଥମ ସାମ୍ବାଦିକ ସମ୍ମିଳନୀ

ଅହମ୍ମଦାବାଦ: କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ସୋମବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଆଜି ମଧ୍ୟାହ୍ନରେ ଅହମ୍ମଦାବାଦ ଠାରେ କଂଗ୍ରେସର ଅଧ୍ୟକ୍ଷ ଭାବେ ସର୍ବ ପ୍ରଥମ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରିଛନ୍ତି। ଗୁଜୁରାଟ ବିଧାନସଭା ପାଇଁ ଅନୁଷ୍ଠିତ ହେଉଥିବା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବା ବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଏହି ସାମ୍ବାଦିକ ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ କେବଳ ମାତ୍ର ରାଜ୍ୟର ବିକାଶକୁ ଏକପାଖିଆ ଭାବେ ଧରି ବିଜେପି ଏହି ନିର୍ବାଚନକୁ ଲଢ଼ୁଛି। କିନ୍ତୁ, ଅପରପକ୍ଷେ ବିକାଶ ସହ ରାଜ୍ୟର କୃଷି ଓ କୃଷକ, ନିଯୁକ୍ତି, ବେରୋଜଗାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଦୁର୍ନୀତି ଆଦି ସମସ୍ତ ପ୍ରସଙ୍ଗକୁ ଆଧାର କରି କଂଗ୍ରେସ ଗୁଜୁରାଟ ନିର୍ବାଚନକୁ ଲଢ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ରାହୁଲ କହିଛନ୍ତି ଯେ ବିଗତ ନିର୍ବାଚନୀ ର‍୍ୟାଲିଗୁଡ଼ିକରେ ମୋଦିଜୀ କେବଳ ତାଙ୍କ ନିଜ ବାବଦରେ କହିଛନ୍ତି; ନହେଲେ କଂଗ୍ରେସ ବିରୋଧରେ କହିଛନ୍ତି। ପୂର୍ବରୁ ସେ ଦୁର୍ନୀତି ବାବଦରେ କହୁଥିଲେ; କିନ୍ତୁ ଯେଉଁ ଦିନଠାରୁ ଜୟ ଶାହା ଓ ରାଫେଲ୍‌ ମାମଲା ପଦାକୁ ଆସିଲା, ସେ ସେବେଠାରୁ ଦୁର୍ନୀତି ବାବଦରେ କହିବା ବନ୍ଦ କରି ଦେଇଛନ୍ତି। କୃଷି, କୃଷକ କିମ୍ବା ଶିକ୍ଷା ସଂପର୍କରେ ସେ ପଦୁଟିଏ ହେଲେ କହୁନାହାନ୍ତି।

ମୋଦିଜୀ ଯେଉଁ ଢ଼ଙ୍ଗରେ ଓ ଯେପରି ଭାବରେ ଚାହୁଁଛନ୍ତି ମୋର ଅପମାନ କରିପାରନ୍ତି, ମୋତେ ଖରାପ କହିପାରନ୍ତି; ମୋର ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ, କଂଗ୍ରେସ ସଭାପତି ଭାବେ ମୁଁ ଆମ ପ୍ରଧାନମନ୍ତ୍ରୀଙ୍କ ଅସମ୍ମାନ କିମ୍ବା ଅମର୍ଯ୍ୟାଦା କରିପାରିବି ନାହିଁ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି ରାହୁଲ।

ସଂପ୍ରତି ମଣିଶଙ୍କର ଆୟାରଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାହୁଲ କହିଛନ୍ତି, ମଣିଶଙ୍କର ଆୟାରଙ୍କ ମନ୍ତବ୍ୟ ପାଇଁ ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଦଳରୁ ମଧ୍ୟ ବହିଷ୍କୃତ କରିଛୁ। କିନ୍ତୁ, ମୋଦିଜୀ ମଧ୍ୟ ଡ. ମନମୋହନ ସିଂହଙ୍କ ବାଦଦରେ ଯାହା କହିଛନ୍ତି ତାହା ମଧ୍ୟ ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଗୁଜୁରାଟ ନିର୍ବଚନରେ ବିଜେପି ଯେଉଁପରି ଅରୁଚିକର, ଦ୍ୱେଷପୂର୍ଣ୍ଣ ଓ କୁତ୍ସିତ ଶୈଳୀରେ ପ୍ରଚାର ଚଳାଇଛି, ସେଥିରୁ ବିଜେପି ବିଚଳିତ ହୋଇପଡ଼ିଥିବା ସ୍ପଷ୍ଟ ଅନୁମେୟ ହେଉଛି ବୋଲି ସେ କହିଛନ୍ତି।

The Hindu

ମନ୍ଦିର ଯିବା ପ୍ରସଙ୍ଗରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାହୁଲ ସାମ୍ବାଦିକମାନଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି, ‘ମୁଁ କାହିଁକି ମନ୍ଦିର ଯାଇ ପାରିବି ନାହିଁ? ସେକଥା ମୋତେ ଆଗ କହନ୍ତୁ? ବିଜେପି କହୁଛି, ମୁଁ ଖାଲି ଗୁଜୁରାଟରେ ମନ୍ଦରକୁ ଯାଉଛି! ତେବେ, କେଦାରନାଥ ମନ୍ଦିର କ’ଣ ଗୁଜୁରାଟରେ କି?’

ଗୁଜୁରାଟ ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ କଂଗ୍ରେସ ସଭାପତି ରାହୁଲ କହିଛନ୍ତି ଯେ ଗୁଜୁରାଟରେ ବିଜେପିର ଅସନ୍ତୁଳିତ ବିକାଶ, ଅର୍ଥନୀତି ରାଜ୍ୟକୁ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେବା ସହ ରାଜ୍ୟର ଘୋର କ୍ଷତି ଘଟାଇଛି। ଆମେ କ୍ଷମତାକୁ ଆସିଲେ ସର୍ବ ପ୍ରଥମେ ଚୁକ୍ତି ଭିତ୍ତିକ ଶ୍ରମ ପ୍ରଥାର ବିଲୋପ ଘଟାଇ ଶ୍ରମିକମାନଙ୍କ ପାଇଁ ସ୍ଥାୟୀ ମଜୁରି ପ୍ରଥାର ପ୍ରଚଳନ କରିବୁ। ବିକାଶର ଡିଣ୍ଡିମ ପିଟି ଚାଲିଥିବା ବିଜେପି ବିଗତ ୨୨ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିଲା। ହେଲେ, ବିକାଶ କାହିଁ? ଡାକ୍ତରଖାନାରେ ଡାକ୍ତର ନାହାନ୍ତି? ନିଯୁକ୍ତି ସୁଯୋଗ ନାହିଁ। ବେରୋଜଗାରୀ କାୟା ବିସ୍ତାର କରି ଚାଲିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ରାଜ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ। ରାଜ୍ୟରେ ଉଭୟ କୃଷି ଓ କୃଷକ ସଂପୂର୍ଣ୍ଣ ଉପେକ୍ଷିତ। ବାସ୍ତବତାକୁ ହୃଦୟଙ୍ଗମ ନକଲେ ଖାଲି ଭାଷଣରେ ବିକାଶ ହୁଏ ନାହିଁ। ତେଣୁ, କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ସନ୍ତୁଳିତ ଅର୍ଥନୀତି ଦ୍ୱାରା ସବୁ କ୍ଷେତ୍ରରେ ସନ୍ତୁଳିତ ବିକାଶ ଘଟାଇବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମ୍ବାଦିକମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର