ନୂଆ‌ଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପୁଣିଥରେ ତାଙ୍କ ‘ଭୋଟ୍‌ ଚୋରି’ ଅଭିଯୋଗକୁ ଦୋହରାଇଛନ୍ତି।  ରାହୁଲ ନିର୍ବାଚନ କମିସନ(ଇସି)କୁ ‘ଚୁନାବ କା ଚୌକିଦାର’ ତଥା ନିର୍ବାଚନ ଜଗୁଆଳ  - ଯିଏ ଚେଇଁ ରହୁଛି, ଚୋରି ଦେଖୁଛି ଏବଂ ଚୋରଙ୍କୁ ସୁରକ୍ଷା ଦେଉଛି’ ବୋଲି କହିଛନ୍ତି।  ନିର୍ବାଚନ କମିସନର ଜ୍ଞାନେଶ କୁମାର ଗଣତନ୍ତ୍ରକୁ ଧ୍ବଂସ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିବାର ଦିନକ ପରେ ରାହୁଲ ଆଜି ନିର୍ବାଚନ କମିସନ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି। 

Advertisment

ଦେଶ ରାହୁଲ ଗାନ୍ଧୀଙ୍କୁ ବିଶ୍ବାସ କରିବ ନାହିଁ: ବିଜେପି

ରାହୁଲ ଗାନ୍ଧୀ ଗୁରୁବାର  ତାଙ୍କ ପାୱାରପଏଣ୍ଟ ଉପସ୍ଥାପନାରୁ ଏକ ୩୭ ସେକେଣ୍ଡର ଅଂଶ ଆଜି ଏକ୍ସରେ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ଅଭିଯୋଗର ‘ଶତ ପ୍ରତିଶତ ବୁଲେଟ୍-ପ୍ରୁଫ୍ ପ୍ରମାଣ’ ଅଛି। କ୍ଲିପ୍‌ରେ ସେ ଦର୍ଶାଇଥିଲେ ଯେ କିପରି, ଡିସେମ୍ବର ୧୯, ୨୦୨୨ ସକାଳ ୪ଟାରେ, କେହି ଜଣେ ୩୬ ସେକେଣ୍ଡ ମଧ୍ୟରେ ଭୋଟର ତାଲିକାରୁ ଦୁଇଟି ନାମ ବାଦ ଦେବା ପାଇଁ ଫର୍ମ ଖୋଲିଥିଲେ, ପୂରଣ କରିଥିଲେ ଏବଂ ଦାଖଲ କରିଥିଲେ। ‘ସକାଳ ୪ଟାରେ ଉଠିପଡ଼, ୩୭ ସେକେଣ୍ଡରେ ଦୁଇଜଣ ଭୋଟରଙ୍କୁ ଡିଲିଟ୍ କର, ତା’ପରେ ପୁଣି ଶୋଇପଡ଼ - ଏହିପରି ଭୋଟ ଚୋରି ହେଲା! ନିର୍ବାଚନ ଚୌକିଦାର ଜଗି ରହିଲା, ଚୋରି ଦେଖୁଥିଲା ଏବଂ ଚୋରମାନଙ୍କୁ ସୁରକ୍ଷା ଦେଉଥିଲା’ ବୋଲି ରାହୁଲ କହିଛନ୍ତି।  

ବିଜେପି ରାହୁଲଙ୍କର ଏଭଳି ଅଭିଯୋଗ ଉପରେ କଡ଼ା ଜବାବ ଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ଆଜି ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରିଜିଜୁ କହିଛନ୍ତି, ରାହୁଲଙ୍କୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ କଂଗ୍ରେସ ଦଳ ତାଙ୍କ ନେତୃତ୍ବରେ ବିଫଳ ହୋଇଛି ଏବଂ ଅନେକ ନିର୍ବାଚନୀ ପରାଜୟ ଘଟିଛି । ଭାରତର ଯୁବପିଢ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି। ରିଜିଜୁ କହିଛନ୍ତି, ‘ରାହୁଲ ଗାନ୍ଧୀ କଂଗ୍ରେସକୁ ପରାଜୟର ଧାରାରେ ନେତୃତ୍ୱ ଦେବା ପରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ‘ଅପବ୍ୟବହାର’ କରିଛନ୍ତି   ଏବଂ  ଦେଶ ରାହୁଲ ଗାନ୍ଧୀଙ୍କୁ କେବେ ବି ବିଶ୍ୱାସ କରିବ ନାହିଁ।’