ପାଟନା: ଅପରେସନ୍ ସିନ୍ଦୂରକୁ ଅଧାରେ ବନ୍ଦ କରିଦିଆଗଲା ବୋଲି ଅଭିଯୋଗ କରିବା ସହ ଆମେରିକା ଚାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମସମର୍ପଣ କରିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଅଭିଯୋଗ କରିଛନ୍ତି। ବିହାରର ନାଳନ୍ଦାଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ କହିଛନ୍ତି, ତାଙ୍କର ଲକ୍ଷ୍ୟ ଜାତି ଜନଗଣନା। ଏହି ପ୍ରସଙ୍ଗ ସେ ସଂସଦରେ ଉଠାଇଥିଲେ। ମୋଦୀ କଂଗ୍ରେସର ଚାପ ଆଗରେ ମୁଣ୍ଡ ନୁଆଁଇ ଜାତି ଜନଗଣନା ପାଇଁ ଅନୁମତି ଦେଇଛନ୍ତି। ତାଙ୍କର ହସ୍ତକ୍ଷେପରେ ଯୁଦ୍ଧବିରତି ହେଲା ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି ଉପରେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରହିଛନ୍ତି। ‌ଟ୍ରମ୍ପ ୧୧ ଥର କହିସାରିଛନ୍ତି ଯେ ସେ ନରେନ୍ଦ୍ର ମୋଦୀଙ୍କୁ ‘ଆତ୍ମସମର୍ପଣ’ କରାଇଛନ୍ତି। 

Advertisment

ଜାତି ଜନଗଣନା କଥା ଉଲ୍ଲେଖ କରି ରାହୁଲ କହିଛନ୍ତି, ତାଙ୍କର ଆତ୍ମସମର୍ପଣର ଅଭ୍ୟାସ ରହିଛି। ମୁଁ ଜାଣିଛି, ଯେଉଁଦିନ ଆମେ ତାଙ୍କ ଉପରେ ଆଉ ଟିକିଏ ଚାପ ପକାଇବା ସେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିବେ। ଜାତି ଜନଗଣନା ଦ୍ବାରା ସମ୍ବିଧାନର ରକ୍ଷା ହୋଇପାରିବ ଓ ଦେଶର ସାର୍ବଙ୍ଗୀନ ଉନ୍ନତି ହୋଇପାରିବ। ଭବିଷ୍ୟତରେ ଯେତେବେଳେ ଆମେ ସରକାର ଗଠନ କରିବୁ, ଆମେ ସଂରକ୍ଷଣ ଉପରେ ଥିବା ୫୦ ପ୍ରତିଶତ ସୀମାକୁ ହଟାଇଦେବୁ  ବୋଲି ରାହୁଲ କହିଛନ୍ତି।