ରାହୁଲଙ୍କ ଆମେଥି ଗସ୍ତକୁ ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ତିନିଦିନିଆ ଆମେଥି ଗସ୍ତକୁ ନେଇ ଉତ୍ତର ପ୍ରଦେଶ ପ୍ରଶାସନ ସବୁଜ ସଙ୍କେତ ଦେଇଛି। ଆମେଥିର ଜିଲ୍ଲା ମାଜିଷ୍ଟ୍ରେଟ ରାହୁଲଙ୍କ ଆମେଥି ଗସ୍ତ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯିବାକୁ ଭୁଲ ବୋଲି କହି ପୁଣି ଏକ ଚିଠି ଜାରି କରିଛନ୍ତି।

ନୂତନ ଚିଠିରେ ଆମେଥିର ଜିଲ୍ଲା ମାଜିଷ୍ଟ୍ରେଟ ଯୋଗେଶ କୁମାର ଲେଖିଛନ୍ତି, ପ୍ରଶାସନ ପାର୍ବଣର ସମୟ ହେତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାହୁଲଙ୍କ ଆମେଥି ଗସ୍ତକୁ ମନା କରିଥିବା ଖବର ଭୁଲ ଅଟେ। ସେ କହିଛନ୍ତି, କେବଳ ରାହୁଲଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା କି ପାର୍ବଣ ସମୟ ହେତୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ, କିନ୍ତୁ ତାଙ୍କ ଗସ୍ତକୁ ରଦ୍ଦ କରାଯାଇ ନଥିଲା।

ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସକୁ ପତ୍ର ଲେଖି ପ୍ରଶାସନ କହିଥିଲେ କି, ଜନପଦର ଅନେକ ସ୍ଥାନରେ ଅକ୍ଟୋବର ୫ ପର୍ଯ୍ୟନ୍ତ ଦଶହରା, ମହରମ ଓ ଦୁର୍ଗାପୂଜା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ଅଧିକାରୀ ଓ ପୁଲିସ ସୁରକ୍ଷା ବ୍ୟବସ୍ଥାରେ ବ୍ୟସ୍ତ ରହିବେ। ତେଶୁ ରାହୁଲ ଅକ୍ଟୋବର ୪ରୁ ୬ଯାଏଁ ଆମେଥିରେ ରହିଲେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଅସୁବିଧା ପରିଲକ୍ଷିତ ହେବ।

ତେବେ ଏହି ଘଟଣାକୁ ନେଇ କଂଗ୍ରେସ ଷଡ଼ଯନ୍ତ୍ରର ମଧ୍ୟ ଆରୋପ ଲଗାଇଥିଲା । କଂଗ୍ରେସ ମୁଖପାତ୍ର ଅଖିଳେଶ ପ୍ରତାପ କହିଥିଲେ, ବିଜେପିକୁ ରାହୁଲ ଗାନ୍ଧିଙ୍କ ଭୟ ରହିଛି। ବିଜେପି ସରକାର ଚାହୁଁ ନାହାନ୍ତି କି ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ରାହୁଲ ଗାନ୍ଧିଙ୍କ ଉତ୍ତରପ୍ରଦେଶ ଗସ୍ତ ହେଉ। ଦଶହରା ଓ ମହରମ ଶେଷ ହୋଇଯାଇଛି। ତେବେ ଏହାପରେ ବି ପ୍ରଶାସନ ଯଦି କହିବ ପୁଲିସ ଓ ଜିଲ୍ଲା ଅଧିକାରୀ ବ୍ୟସ୍ତ ଅଛନ୍ତି, ତେବେ ଏଥିରୁ ସ୍ପଷ୍ଟ ବାରି ହେଉ ପଡ଼ୁଛି କି, ଆମିତ ଶାହାଙ୍କ ଗସ୍ତ ପୂର୍ବରୁ ଯୋଗୀ ସରକାର ରାହୁଲଙ୍କୁ ଆମେଥି ଆସିବାକୁ ଦେଉନାହାନ୍ତି।

ରାହୁଲ ଗାନ୍ଧିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା ଯେ, ପ୍ରଶାସନ ରାଜନୈତିକ କାରଣ ହେତୁ ରାହୁଲଙ୍କ ଆମେଥି ଗସ୍ତକୁ ମନା କରିଦେଇଛନ୍ତି। ଆମେଥି ଗସ୍ତକୁ ନାମଞ୍ଜୁର ମିଳିଥିଲେ ବି ରାହୁଲଙ୍କ ଯେଉଁ ତାରିଖ ସ୍ଥିର ହୋଇଥିଲା ,ସେହି ତାରିଖରେ ହିଁ ସେ ଯିବେ ବୋଲି ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର