ରାହୁଲଙ୍କ ଆମେଠି ଗସ୍ତକୁ ନେଇ ପ୍ରଶାସନ କହିଲେ ପୁଲିସ ବ୍ୟସ୍ତ ଅଛି, ପରେ ଆସନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ର ଆମେଠି ଯିବା ପାଇଁ ଅନୁମତି ମିଳି ନାହିଁ। ପ୍ରଶାସନ ପାର୍ବଣର ସମୟ ହେତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାହୁଲଙ୍କ ଆମେଠି ଗସ୍ତକୁ ମନା କରି ଦେଇଛି।

କଂଗ୍ରେସକୁ ପତ୍ର ଲେଖି ପ୍ରାଶସନ ପକ୍ଷରୁ କୁହାଯାଇଛିି, ଜନପଦର ଅନେକ ସ୍ଥାନରେ ଅକ୍ଟୋବର ୫ ପର୍ଯ୍ୟନ୍ତ ଦଶହରା, ମହରମ ଓ ଦୁର୍ଗାପୂଜା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ଅଧିକାରୀ ଓ ପୁଲିସ ସୁରକ୍ଷା ବ୍ୟବସ୍ଥାରେ ବ୍ୟସ୍ତ ରହିବେ। ଏହି ସମୟରେ ରାହୁଲ ଗାନ୍ଧି ଆସିଲେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଅସୁବିଧା ପରିଲକ୍ଷିତ ହେବ। ପ୍ରଶାସନ ରାହୁଲଙ୍କ କାର୍ଯ୍ୟକ୍ରମର ତାରିଖ ଆଗକୁ ବଢ଼ାଇବା ପାଇଁ ଅପିଲ କରିଛନ୍ତି।

ତେବେ ଏହି ଘଟଣାକୁ ନେଇ କଂଗ୍ରେସ ଷଡ଼ଯନ୍ତ୍ରର ଆରୋପ ଲଗାଇଛି। କଂଗ୍ରେସ ମୁଖପାତ୍ର ଅଖିଳେଶ ପ୍ରତାପ କହିଛନ୍ତି, ବିଜେପିକୁ ରାହୁଲ ଗାନ୍ଧିଙ୍କ ଭୟ ରହିଛି। ବିଜେପି ସରକାର ଚାହୁଁ ନାହାନ୍ତି କି ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ରାହୁଲ ଗାନ୍ଧି ଉତ୍ତରପ୍ରଦେଶ ଗସ୍ତ ହେଉ।

ଅନ୍ୟପକ୍ଷରେ ଅଖିଳେଶ କହିଛନ୍ତି, ଦଶହରା ଓ ମହରମ ଶେଷ ହୋଇଯାଇଛି। ତେବେ ଏହାପରେ ବି ପ୍ରଶାସନ ଯଦି କହିବ ପୁଲିସ ଓ ଜିଲ୍ଲା ଅଧିକାରୀ ବ୍ୟସ୍ତ ଅଛନ୍ତି, ତେବେ ଏଥିରୁ ସ୍ପଷ୍ଟ ବାରି ହେଉ ପଡ଼ୁଛି କି, ଆମିତ ଶାହାଙ୍କ ଗସ୍ତ ପୂର୍ବରୁ ଯୋଗୀ ସରକାର ରାହୁଲଙ୍କୁ ଅମେଠି ଆସିବାକୁ ଦେଉନାହାନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆମିତ ଶାହା ଅକ୍ଟୋବର ୧୦ରେ ଅମେଠିରେ ହିଁ ରହିବେ। ପ୍ରଶାସନ ତରଫରୁ ତାଙ୍କ କାର୍ଯ୍ୟକ୍ରମକୁ ମଞ୍ଜୁରୀ ମଧ୍ୟ ମିଳି ସାରିଛି।

ରାହୁଲ ଗାନ୍ଧିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ, ପ୍ରଶାସନ ରାଜନୈତିକ କାରଣ ହେତୁ ରାହୁଲଙ୍କ ଆମେଠି ଗସ୍ତକୁ ମନା କରିଦେଇଛନ୍ତି। ଆମେଠି ଗସ୍ତକୁ ନାମଞ୍ଜୁର ମିଳିଥିଲେ ବି ରାହୁଲଙ୍କ ଯେଉଁ ତାରିଖ ସ୍ଥିର ହୋଇଥିଲା ,ସେହି ତାରିଖରେ ହିଁ ସେ ଯିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର