ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନା ଅଧିନିୟମ) ସଂସଦରେ ଗୃହୀତ ହେବା ପରେ ଏହାର ଲାଗୁ କରିବାର ସମୟ ସୀମାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଲକୁ, ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି କହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଲର କାର୍ଯ୍ୟକାରୀତାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ମହିଳା ସଂରକ୍ଷଣ ବିଲରେ ଓବିସିଙ୍କ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀ ଗାନ୍ଧି। ଉଭୟ ଶାସକ ଓ ବିରୋଧୀ ମତପାର୍ତକ୍ୟ ପରିତ୍ୟାଗ କରି ଆଗେଇ ଆସି ଏହି ବିଲ୍ ପାରିତ କରିବାରେ ସମାନ ଭୂମିତା ତୁଲାଇଛନ୍ତି । ଏଣୁ ସ୍ୱାଭାବିକ୍ ଭାବେ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଆଉ ଏହି ପ୍ରତିଯୋଗିତାରେ ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ।
ପ୍ରଧାନମନ୍ତ୍ରୀ ମୋଦେୀ କହିଛନ୍ତି- ମହିଳା ସଂରକ୍ଷଣ ବିଲ୍ ଆମର ପ୍ରତିଶ୍ରୁତି ଥିଲା । ଆଜି ଆମେ ଏହାକୁ ପୂରଣ କରିଛୁ । ମହିଳା ବିଲ ଏକ ସାଧାରଣ ଆଇନ ନୁହେଁ, ଏହା ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି ।ଏଥିସହ କଂଗ୍ରେସକୁ କଟାକ୍ଷ କରିବାକୁ ଭୁଲି ନାହାନ୍ତି ନରେନ୍ଦ୍ର ମୋଦୀ । ଅନ୍ୟ ପକ୍ଷରେ ରାହୁଲ ଗାନ୍ଧି କହିଛନ୍ତି- ବିଲ୍ କାର୍ଯ୍ୟକାରୀ କରିବାକୁ ୧୦ ବର୍ଷ କିମ୍ବା ତା’ଠୁ ଅଧିକ ସମୟ ଲାଗିପାରେ । ଏହା ଲାଗୁ ହେବ ନା’ ନାହିଁ, ସେକଥା ମଧ୍ୟ ଆମେ ଜାଣି ନାହୁଁ । ସେହିପରି ଓବିସିଙ୍କ ସ୍ୱର ଉଠାଇଛନ୍ତି ସେ।
ରାହୁଲ ଗାନ୍ଧି ନିଜ ମତ ରଖି କହିଛନ୍ତି- କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କଂଗ୍ରେସ ପାରିତ କରି ପାରିନଥିଲା । ଏଥିପାଇଁ ସଂପୂର୍ଣ୍ଣ ଭାବେ ଅନୁତପ୍ତ । ମହିଳା ସଂରକ୍ଷଣ ବିଲରେ ଓବିସିଙ୍କ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ରାହୁଲ ଗାନ୍ଧି । ଯେଉଁମାନେ ପୂର୍ବରୁ ବିଲକୁ ବିରୋଧ କରୁଥିଲେ ସେମାନେ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛନ୍ତି । ଏହି ବିଲ୍ ପାରିତ କରିବା ପାଇଁ ବିଜେପି ୩ ଦଶନ୍ଧି ଧରି ଚେଷ୍ଟା କରୁଥିଲା। ବିଲ୍ ପାସ୍ ହେବା ପରେ ଏହା ମୋଦୀ ଗ୍ୟାରେଣ୍ଟିର ପ୍ରମାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ମୁଖ୍ୟ କଥା ହେଉଛି- ନାରୀ ଶକ୍ତି ବନ୍ଦନା ଅଧିନିୟମ ପାରିତ ହେବା ପ୍ରସଙ୍ଗକୁ ନେଇ ବିଜେପି ଶ୍ରେୟ ସାଉଁଟି ନେବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ତଥା ବିରୋଧୀ, ଏହାର କାର୍ଯ୍ୟକାରୀତାର ସମୟ ସୀମାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛି ।