ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି 'ଭାରତ ଛାଡ ଆନ୍ଦୋଳନ'ର ବାର୍ଷିକୀ ଅବସରରେ କହିଛନ୍ତି ଯେ ବର୍ତ୍ତମାନର' ଏକଛତ୍ରବାଦୀ ସରକାର 'ବିରୁଦ୍ଧରେ ତଥା ଦେଶର ସୁରକ୍ଷା ପାଇଁ ଆଉ ଏକ 'କର ବା ମର ' ଆନ୍ଦୋଳନର ଆବଶ୍ୟକ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକଛତ୍ରବାଦୀ ଶାସନ, ମୁଦ୍ରାସ୍ଫୀତି ଏବଂ ବେକାରୀକୁ ଭାରତ ଛାଡିବାକୁ ପଡିବ। କଂଗ୍ରେସ ନେତା ଏକ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ଇତିହାସର ପୃଷ୍ଠାରେ ଯାହାକୁ କେବେ ଭୁଲିହେବ ନାହିଁ ତାହା 'ଭାରତ ଛାଡ' ଆନ୍ଦୋଳନ ଥିଲା । ୮ ଅଗଷ୍ଟ ୧୯୪୨ରେ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବ୍ରିଟିଶମାନଙ୍କ ନିଦ ଉଡାଇଦେଇଥିଲା |
ଅଗଷ୍ଟ ମାସର ସେହି ସନ୍ଧ୍ୟାରେ ଲୋକମାନେ ମୁମ୍ବାଇର ଗୋଆଲିଆ ଟ୍ୟାଙ୍କ ମଇଦାନରେ ଏକାଠି ହୋଇଥିଲେ ଓ ଗାନ୍ଧିଜୀ ' କର ବା ମର' ସ୍ଲୋଗାନ ଦେଇଥିଲେ | ଆଉ ସେହି ସମୟଠାରୁ ଭାରତରେ ବ୍ରିଟିଶ ଶାସନର ଶେଷ ଅଧ୍ୟାୟ ଆରମ୍ଭ ହୋଇଯାଇଥିଲା । ରାହୁଲ ଗାନ୍ଧୀଙ୍କ କହିବା ଅନୁଯାୟୀ ନିଜ ଜୀବନକୁ ଖାତିର ନ କରି ଲକ୍ଷ ଲକ୍ଷ ଦେଶବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ଓ ଏହି ଆନ୍ଦୋଳନରେ ପ୍ରାୟ ୯୪୦ ଜଣ ସହିଦ ହୋଇଥିଲେ ଏବଂ ହଜାର ହଜାର ଲୋକ ଗିରଫ ହୋଇଥିଲେ। ଆଜି ଭାରତ ଛାଡ ଆନ୍ଦୋଳନର ବାର୍ଷିକୀ ଅବସରରେ ମୁଁ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଜି ଭାରତର ଏକଛତ୍ରବାଦୀ ସରକାର ବିରୁଦ୍ଧରେ ତଥା ଦେଶକୁ ସୁରକ୍ଷା ଦେବା ପାଇଁ 'କର ବା ମର' ଆନ୍ଦୋଳନ ଆବଶ୍ୟକ ରହିଛି | ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଅନ୍ୟାୟ ବିରୁଦ୍ଧରେ କହିବାକୁ ପଡିବ | ଏକଛତ୍ରବାଦୀ ଶାସନ, ମୁଦ୍ରାସ୍ଫୀତି ଏବଂ ବେକାରୀକୁ ଭାରତ ଛାଡିବାକୁ ପଡିବ।