କେନ୍ଦ୍ର ବିରୋଧରେ ବର୍ଷିଲେ ରାହୁଲ, ଦ୍ବିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ଦାୟୀ

ନୂଆଦିଲ୍ଲୀ : କରୋନା ମହାମାରୀର କୁପରିଚାଳନା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଦେଶରେ ଦେଖାଦେଇଥିବା କରୋନାର ଦ୍ବିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ ବୋଲି ରାହୁଲ ଅଭିଯୋଗ କରିଛନ୍ତି। କରୋନାକୁ ପ୍ରଧାନମନ୍ତ୍ରୀ ବୁଝି ପାରିଲେ ନାହିଁ। ଭାରତରେ କରୋନାର ମୃତ୍ୟୁ ହାର ଯାହା ଦର୍ଶାଯାଉଛି ତାହା ମିଛ। ସରକାର ଆମକୁ ସତ କହିବା ଆବଶ୍ୟକ। ମୃତ୍ୟୁ ହାର ସଂପର୍କରେ ମିଥ୍ୟା କୁହାଯାଉଛି। ଏହା ରାଜନୀତି ନୁହେଁ, ଜୀବନ ବଞ୍ଚାଇବା ବିଷୟ ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର କରୋନା ଭଳ ମହାମାରୀକୁ ବେପରୁଆ ଭାବେ ଗ୍ରହଣ କରିଛନ୍ତି। ଏହି ମହମାରୀ ପାଇଁ ଯେତେ ଅଧିକ ସମୟ ମିଳିବ ରୋଗ ସେତେ ଅଧିକ ବିପଜ୍ଜନକ ହେବ ବୋଲି ରାହୁଲ କହିଛନ୍ତି।

ସେହିଭଳି ଟିକାକରଣ ପ୍ରସଙ୍ଗରେ ମଧ୍ୟ ରାହୁଲ କେନ୍ଦ୍ର ସରକାରଙ୍କୁ ଟା‌ର୍ଗେଟ କରିଛନ୍ତି। ଲକ୍‌ଡାଉନ୍ ଆମକୁ ଏହି ରୋଗ ବିରୋଧରେ ସାମୟିକ ଆଶ୍ବସ୍ତି ଦେଇପାରେ। କିନ୍ତୁ ଟିକା ହିଁ ହେଉଛି ମହାମାରୀକୁ ମୁକାବିଲା କରିବାର ଏକମାତ୍ର ପନ୍ଥା। ସରକାରଙ୍କ ଟିକାକରଣ ନୀତିକୁ ସମାଲୋଚନା କରି ରାହୁଲ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ ୩ ପ୍ରତିଶତ ଲୋକଙ୍କୁ ଟିକା ମିଳିଛି। ତେଣୁ କରୋନା ଭୂତାଣୁ ପାଇଁ ଆମ ଦ୍ବାର ଉନ୍ମୁକ୍ତ ରହିଛି। ଟିକାକୁ ନେଇ ବ୍ୟବସାୟ କରାଯାଉଛି। ଟିକାର ଭିନ୍ନ ଭିନ୍ନ ଦର ରହୁଛି। ବର୍ତ୍ତମାନ ହାରରେ ଟିକାକରଣ ଚାଲିଲେ ୨୦୨୪ ମେ ବେଳକୁ ଆମେ ଆମ ଲୋକଙ୍କୁ ଟିକା ଦେଇପାରିବ। ଅନ୍ୟଥା ଆମେ ଲହର ପରେ ଲହରକୁ ସାମ୍ନା କରିବା ବୋଲି ରାହୁଲ କହିଛନ୍ତି। ତଥ୍ୟକୁ ଚାପି ରଖୁଥିବାରୁ ସରକାରଙ୍କୁ ରାହୁଲ ସମାଲୋଚନା କରିଛନ୍ତି। ସରକାରଙ୍କ ଚିନ୍ତାଧାରା ହେଉଛି ତଥ୍ୟକୁ ଲୁଚାଇବା। ଏହା ହେଉଛି ଆରଏସଏସର ମୁଖ୍ୟ ଚିନ୍ତାଧାରା। ଏବେ ସରକାର ସତ ଲୁଚାଇବାକୁ ଟ୍ବିଟର ଏବଂ ଫେସବୁକ୍ ଉପରେ ଚାପ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର