ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଲୋକସଭା ସାଂସଦ ପଦ ଫେରି ପାଇଥିବା କଥା ଆଜି ଲୋକସଭା ସଚିବାଳୟ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।
୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବାର ୩ ଦିନ ପରେ ସେ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି।
ସୁରତ ସେସନ୍ ଅଦାଲତ ଉପରୋକ୍ତ ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଦେବାରୁ ତାଙ୍କର ସାଂସଦ ପଦ ଆପଣାଛାଏଁ ରଦ୍ଦ ହୋଇଯାଇଥିଲା।
ସୂଚନାଯୋଗ୍ୟ, ୱାୟାନାଡ଼ ସାଂସଦ ଥିବା ରାହୁଲ୍ ଗାନ୍ଧୀଙ୍କୁ ୨୦୨୩ ମାର୍ଚରେ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
ଅଗଷ୍ଟ ୪ ତାରିଖ ଦିନ ଶୁଣାଇଥିବା ରାୟରେ ସୁପ୍ରିମ୍ କୋର୍ଟ କହିଥିଲେ, ଏହି ମାମଲାରେ ‘ଟ୍ରାଏଲ୍ ଜଜ୍’ ସର୍ବାଧିକ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡାଦେଶ ଗୋଟିଏ ଦିନ କମ୍ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍ ଜଜ୍’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା।
ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍ମାନଙ୍କୁ ବି ପ୍ରଭାବିତ କରୁଛି।
ସୂଚନାଯୋଗ୍ୟ, ବିଚାରପତି ବି.ଆର୍. ଗୱାଇ, ପି. ଏସ୍. ନରସିଂହ ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ରାହୁଲ୍ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରୁଥିଲେ।
ସୁରତ ଅଦାଲତ ଦେଇଥିବା ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ପୂର୍ବରୁ ଗୁଜରାଟ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ।