ନୂଆଦିଲ୍ଲୀ: ଟ୍ରକ୍‌ ଡ୍ରାଇଭର ଏବଂ ମେକାନିକ୍‌ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ କୁଲି ବେଶରେ ରୂପ‌ରେ ନଜର ଆସିଛନ୍ତି। ରାହୁଲ ଦିଲ୍ଲୀ ଆନନ୍ଦ ବିହାର ରେଳବାଇ ଷ୍ଟେସନ୍‌ ପରିଦର୍ଶନ ଅବସରରେ କୁଲିମାନଙ୍କ ସହ କଥା ହୋଇ ସେମାନଙ୍କ ପୋଷକ (ୟୁନିଫର୍ମ) ପିନ୍ଧି ଲଗେଜ୍‌ ଉଠାଇଥିବାର ଦେଖିବାକୁ ମିଳିଛି।

Advertisment

ସେହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଛି। କଂଗ୍ରେସ ପକ୍ଷରୁ ଏହାକୁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ବୋଲି କୁହାଯାଇଛି। ରାହୁଲ ନାଲି ରଂଗର କୁଲି ୟୁନିଫର୍ମ ପିନ୍ଧି ହସି ହସି ଲଗେଜ୍‌ ଉଠାଉଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି।

କଂଗ୍ରେସ ଟୁଇଟ୍ କରି କହିଛି, "ଜନନାୟକ ରାହୁଲ ଗାନ୍ଧୀଜୀ ଆଜି ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ କୁଲିସାଥୀମାନଙ୍କୁ ଭେଟିଥିଲେ। ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓରେ କୁଲି ସାଥୀମାନେ ରାହୁଲଙ୍କୁ ଭେଟିବାର ଆଗ୍ରହ ପ୍ରକାଶ କରିଥିଲେ। ଆଜି ରାହୁଲ ଗାନ୍ଧୀ ସେମାନଙ୍କ ନିକଟ‌ରେ ପହଞ୍ଚି ସେମାନଙ୍କ କଥା ଶୁଣିଛନ୍ତି। ‘ଭାରତ ଯୋଡ଼ୋ’ ଯାତ୍ରା ଜାରି ରହିଛି।

ଏହାପୂର୍ବରୁ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଦିଲ୍ଲୀ-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଟ୍ରକ ଡ୍ରାଇଭରଙ୍କ ସହ ଏକ ଭିଡିଓ ସେୟାର କରିଥିଲେ। କଂଗ୍ରେସ କହିଥିଲା ଯେ ଟ୍ରକ ଡ୍ରାଇଭରଙ୍କ ସମସ୍ୟା ଶୁଣିବା ପାଇଁ ରାହୁଲ ଏହି ଯାତ୍ରା କରିଥିଲେ। ତାହାର କିଛି ଦିନ ପରେ ରାହୁଲ ଗାନ୍ଧୀ କରୋଲ ବାଗ ବାଇକ୍ ମାର୍କେଟରେ ପହଞ୍ଚି ସେଠାରେ ମେକାନିକ୍‌ମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ବି ଶୁଣିଥିଲେ।